ରାଜ୍ୟ

କଟକ ବାଲିଯାତ୍ରା: ପ୍ଲଟ ବୁକିଂ ଲାଗି ନିଲାମକୁ ବିରୋଧ, ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି

କଟକ: ଆଗକୁ ଆସୁଛି ଐତିହାସିକ ବାଲିଯାତ୍ରା । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ଲଟ ବୁକିଂ ପ୍ରକ୍ରିୟା । ଚଳିତ ବର୍ଷ ପ୍ଲଟର ଦର ବୃଦ୍ଧି ପାଇଛି । ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ରଖାଯାଇଛି । ଏନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ନିଲାମ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛି ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ। ମଞ୍ଚ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିଲାମ ପ୍ରକ୍ରିୟାର ପ୍ରତ୍ୟାହାର ପାଇଁ ଦାବି କରିଛି। ଏହି ପ୍ରକ୍ରିୟାରେ ଜମି ନିଲାମ ହେଲେ ଅନେକ କ୍ଷୁଦ୍ର ଓ ସାଧାରଣ ବ୍ୟବସାୟୀ ବାଲିଯାତ୍ରାରେ ତାଙ୍କ ବ୍ୟବସାୟ କରିବାରୁ ବଞ୍ଚିତ ହେବେ ବୋଲି ମଞ୍ଚ କହିଛି।
ସୂଚନାଯୋଗ୍ୟ, ଚଳିତବର୍ଷ ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶକ୍ରମେ ୩୪ ଏକର ଜାଗାରେ ଏଥର ବାଲିଯାତ୍ରା ଅନୁଷ୍ଠିତ ହେବ।
ଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ଜମି ଆବଣ୍ଟନ କାର୍ଯ୍ୟ । ରେଜିଷ୍ଟ୍ରସନ ପାଇଁ ୫ ହଜାର ଟଙ୍କା ରହିଥିଲା ବେଳେ ଜଣେ ବ୍ୟବସାୟୀ ମୋଟ ୩ଟି ପ୍ଲଟ କିଣି ପାରିବ ବୋଲି ଚଳିତବର୍ଷ ନିୟମ ରହିଛି। କିନ୍ତୁ ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ପ୍ରଶାସନ କରିଥିବା ଏଭଳି ନିୟମକୁ ତୀବ୍ର ବିରୋଧ କରିଛି। ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ। ୨୦୧୯ ବାଲିଯାତ୍ରା ସମୟରେ ରିଜେଷ୍ଟ୍ରେସନ ଟଙ୍କା ଯେତିକି ରହିଥିଲା ତାହାର ଅନେକ ଗୁଣା ଟଙ୍କା ବୃଦ୍ଧି ହୋଇଥିବାରୁ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୫୦ ଟଙ୍କା ବର୍ଗଫୁଟ ଦର ରହିଥିବା ବେଳେ ସେମାନେ ୫ ହଜାର ଟଙ୍କା ଦେଇ ପ୍ରଥମେ ପଞ୍ଜିକରଣ କରିବେ। ପ୍ରଥମେ ରେଜିଷ୍ଟ୍ରେସନ ଫି’କୁ ଆକାଶ ଛୁଆଁ କରିବା ଅନ୍ୟପଟେ ପଞ୍ଜିକରଣ ପ୍ରକ୍ରିୟାକୁ ସାମିଲ କରିବା ଦ୍ବାରା କ୍ଷୁଦ୍ର ବ୍ୟବସାୟୀ ଏହି ପ୍ଲଟ ବୁକିଂ ପ୍ରକ୍ରିୟାରୁ ବଞ୍ଚିତ ରହିବେ।

ଏନେଇ ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ କହିଛି ଯେ, ପୂର୍ବରୁ ଜମି ବର୍ଗ ଫୁଟ ପିଛା ୨୬ରୁ ୨୭ଟଙ୍କା ମଧ୍ୟରେ ଥିଲା । ଏବେ ଏହାକୁ ୫୦ଟଙ୍କା କରିବା ସହିତ ନିଲାମ କରାଯାଇଛି। ଏଥିରେ ଯେ ଅଧିକ ଟଙ୍କା ଦେବ ସେ ହିଁ ଜମି ପାଇବ। ତେଣୁ ବ୍ୟବସାୟୀଙ୍କ ମଧ୍ୟରେ ଏଭଳି ଅସ୍ବାଭାବିକ ପ୍ରତିଯୋଗିତା ହେବା ଅନୁଚିତ । ତେଣୁ ଏଭଳି ପ୍ଲଟ ବୁକିଂ ପ୍ରକ୍ରିୟାକୁ ଜିଲ୍ଲାପାଳ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି ହୋଇଛି । ଏଥିପାଇଁ ୧୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଉଛି ନଚେତ ଏଥର ବାଲିଯାତ୍ରାରେ ଦୋଳି କି ମୀନାବଜାର ବସିବ ନାହିଁ ବୋଲି କହିଛି ବ୍ୟବସାୟୀ ମିଳିତ ମଞ୍ଚ ।

Leave a Reply

Your email address will not be published. Required fields are marked *