ଆମ ଜିଲ୍ଲା ଖବର

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ।

ରଥଯାତ୍ରାକୁ ଆଉମାତ୍ର ସମୟ ବାକି।ଦୀର୍ଘ ଦୁଇବର୍ଷ ଧରି ମହାମାରୀ କୋଭିଡ ପାଇଁ ତୁଳସୀକ୍ଷେତ୍ର ବଡ଼ ବାଡ଼ ମଣିମା ମହାପ୍ରଭୁ ବଳଦେବଜୀଉଙ୍କ ରଥାରୂଢ ଦର୍ଶନରୁ ବଞ୍ଚିତ ହୋଇଥିବା ଭକ୍ତ ଚଳିତବର୍ଷ ବ୍ରହ୍ମ ତାଳଧ୍ଵଜ ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାତକ ଭଳି ଚାହିଁ ରହିଛନ୍ତି।ଅନ୍ୟପଟେ ରଥ ପ୍ରସ୍ତୁତ ପାଇଁ ଦିନରାତି ଲାଗି ପଡିଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା କାରିଗର ସେବାୟତ ଓ କମାର ସେବାୟତ।
ତୁଳସୀକ୍ଷେତ୍ର ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ହୋଇ ଉଠିଛି ରଥଖଳା।ନିଜନିଜ କାମକୁ ଜୋରଦେଇ ଏକମନା ହୋଇ କାମରେ ଲାଗିଛନ୍ତି ବଢ଼େଇ ଓ କମାର ଶିଳ୍ପୀ।କୋଭିଡ ମହାମାରୀ କାରଣରୁ ଗତ ୨୦୨୦ ଓ ୨୦୨୧ ମସିହାରେ ରଥଯାତ୍ରା ବନ୍ଦ ରହିଥିବା ବେଳେ ଗତବର୍ଷ ଓ ଚଳିତବର୍ଷର ନୂଆ ପୁରୁଣା କାଠକୁ ନେଇ ଆରମ୍ଭ ହୋଇଛି ରଥ ପ୍ରସ୍ତୁତି।ଦେବସ୍ନାନ ପୂର୍ଣ୍ଣିମାର ୧୫ଦିନ ପୂର୍ବରୁ ଅର୍ଥାତ ଅକ୍ଷୟ ତୃତୀୟାରୁ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଦେବସ୍ନାନ ପୂର୍ଣ୍ଣିମାରେ ଚକରେ ଅଖ ସଂଯୋଗ କରାଯାଇ ସେହିଦିନ ଠାରୁ ନିୟମିତ କାମ ଚାଲୁ ହୋଇଥାଏ।ବ୍ରହ୍ମ ତାଳଧ୍ଵଜ ରଥର ଅଖ ସଂଖ୍ୟା ୭ ରହିଥିବା ବେଳେ ଚକ ସଂଖ୍ୟା ୧୪ଟି।୧୦୨୪ଖଣ୍ଡ ନୂଆପୁରୁଣା କାଠରେ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ ହେଉଥିବା ବେଳେ ପରମ୍ପରା ଅନୁଯାୟୀ ରଥର ଉଚ୍ଚତା ଶ୍ରୀକ୍ଷେତ୍ରର ନନ୍ଦିଘୋଷ ରଥଠାରୁ ମାତ୍ର କେଇ ହାତ ଉଚ୍ଚ ବା ୭୦ଫୁଟ ହୋଇଥାଏ।ଚକରେ ଅଖ ପଶିବା ପରେ ବରାଣ,ପାରିଣୀ,ପାସ୍ତା ପରେ ପତର ବାଡ଼ିଆ ଆରମ୍ଭ ହୋଇଛି।ଅନ୍ୟପଟେ ନାହାକା ଉଠିବା ପରେ ଏବେ ଉପର ନାହାକା କାମ ଆରମ୍ଭ ହେବ ବୋଲି କହିଛନ୍ତି ଆଜକୁ ଦୀର୍ଘ ୪୫ବର୍ଷ ଧରି ବ୍ରହ୍ମ ତାଳଧ୍ଵଜ ରଥରେ କାମ କରୁଥିବା ବଢ଼େଇ ସେବାୟତ।ସେହିପରି କମାର ଶାଳରେ ରଥ ପାଇଁ ଆବଶ୍ୟକୀୟ ବରାନ୍ଦ,ନୋଥରୀ,ତାରିଣୀ,ମୁଣ୍ଡାକଣ୍ଟା ଓ ଛତିକଣ୍ଟା ପ୍ରସ୍ତୁତ କରନ୍ତି କମାର ସେବକ।ସ୍ନାନ ପୂର୍ଣ୍ଣିମା ଠାରୁ ପ୍ରାୟ ୪୦ ବଢ଼େଇ ସେବାୟତ,୧୬ କମାର ସେବାୟତଙ୍କ ଦ୍ୱାରା ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୦ ତାରିଖ ନେତ୍ରୋତ୍ସବ ପୂର୍ବରୁ ରଥ ପ୍ରସ୍ତୁତ କରିବା ପାଇଁ ଜୋରଦାର କାମ ଚଳାଇଛନ୍ତି ।
ଶ୍ରୀକ୍ଷେତ୍ରରେ ପ୍ରଭୁ ବଳଭଦ୍ରଙ୍କ ରଥର ନାମ ତାଳଧ୍ଵଜ ରଥ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାରେ କାହିଁ କେତେ କାଳରୁ ପୂଜା ପାଇ ଆସୁଥିବା ମହାପ୍ରଭୁ ବଳଦେବଜୀଉଙ୍କ ରଥର ନାମ “ବ୍ରହ୍ମ ତାଳଧ୍ଵଜ” କୁହାଯିବା ପଛରେ ରହିଛି ଅନେକ କିମ୍ବଦନ୍ତୀ ଏବଂ ସ୍ୱତନ୍ତ୍ରତା।ପ୍ରଭୁ ବଳଦେବଜୀଉଙ୍କ ବିଗ୍ରହ ମଣିଶିଳା ବ୍ରହ୍ମ,ଯାହା ପରିବର୍ତ୍ତନ ବା ନବକଳେବର ହୁଏନାହିଁ। ହୋଇଥିବାରୁ ବଳଦେବଜୀଉଙ୍କୁ ବ୍ରହ୍ମ ବିଗ୍ରହ,କ୍ଷେତ୍ରକୁ ବ୍ରହ୍ମକ୍ଷେତ୍ର, ରଥରେ ବ୍ରହ୍ମ ବିଗ୍ରହ ବିଜେ କରୁଥିବାରୁ ରଥକୁ “ବ୍ରହ୍ମ ତାଳଧ୍ଵଜ” ରଥ ବୋଲି କୁହାଯାଏ।ଏପରି ନାମକରଣ ଅନ୍ୟ କୌଣସି ପୀଠରେ କରାଯାଇନଥିବା ମଧ୍ୟ ନଜିର ରହିଛି।ଗଙ୍ଗବଂଶୀୟ ଶାସକ ତୃତୀୟ ଅନଙ୍ଗଭୀମଦେଵ ୧୨୨୦ ଖ୍ରୀଷ୍ଟାବ୍ଦରେ ବଳଗଣ୍ଡି ଠାରେ ମହାପ୍ରଭୁଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଇଥିବାର ଲୋକଶୃତିରୁ ଜଣାଯାଏ।କେବଳ ଏତିକି ନୁହେଁ, ବଳଦେବଜୀଉଙ୍କୁ ଉତ୍ତର ତୋଷାଳି ମଧ୍ୟ ଘୋଷଣା କରିଥିବା କିମ୍ବଦନ୍ତୀ କୁହେ।ତେବେ ପୂର୍ବରୁ ତୁଳସୀକ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରାକୁ ଉତ୍କଳର ଗଜପତି ରାଜାମାନେ ଆୟୋଜନ କରାଉଥିବାରୁ ପୁରୀ ରଥଯାତ୍ରା ପରଦିନ ହାତୀ ଓ ସୈନ୍ୟଦଳ ଆସିବା ପରେ ରଥଯାତ୍ରା ସମ୍ପନ୍ନ ହେଉଥିଲା ଯେଉଁଥିପାଇଁ କି ଆଜି ମଧ୍ୟ କେନ୍ଦ୍ରାପଡ଼ା ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ।ତେବେ ଗତ ଦୁଇବର୍ଷ ପରେ ମହାପ୍ରଭୁଙ୍କ ରଥାରୂଢ ଦର୍ଶନ ପାଇଁ ଭକ୍ତ ମାନେ ଚାହିଁ ବସିଥିବା ବେଳେ ବିଭାଗୀୟ ଅଧିକାରୀ ରଥର ସମସ୍ତ ପ୍ରସ୍ତୁତିର ନିରୀକ୍ଷଣ କରୁଥିବା କହିଛନ୍ତି ଅଧିକାରୀ।

ବଳଦେବଜୀଉଙ୍କ ରଥଯାତ୍ରା ପୂର୍ବରୁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ସେମାନଙ୍କ କାର୍ଯ୍ୟକୁ ସମାପନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଚଳିତବର୍ଷ ରଥଯାତ୍ରାକୁ ଧୁମଧାମରେ ପାଳିବା ପାଇଁ ଅନେଇ ବସିଛନ୍ତି ମଣିମାଙ୍କ ଭକ୍ତବୃନ୍ଦ।

Leave a Reply

Your email address will not be published. Required fields are marked *