ରାଜ୍ୟ

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଭିତରେ ଧସେଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ

ଭୁବନେଶ୍ୱର : ଭୁବନେଶ୍ୱର ଗାନ୍ଧି ମାର୍ଗ ସ୍ଥିତ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କ୍ୱାର୍ଟର୍ସକୁ ଧସେଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଉପସ୍ଥିତି ଥିଲେ ହେଁ ପୁଲିସକୁ ଚକମା ଦେଇ ମନ୍ତ୍ରୀଙ୍କ ଘରେ ଭିତରେ କଂଗ୍ରେସ କର୍ମୀମାନେ ପଶିବା ସହ ନିଜର ଦାବି ଉପସ୍ଥାପନ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବି କରି ଆଜି ଏଭଳି ଅଚାନକ୍ ବିକ୍ଷୋଭକୁ ଓହ୍ଲାଇଥିଲା ଛାତ୍ର କଂଗ୍ରେସ।
ସମାନ ଦାବି ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ ରାଲି ମଧ୍ୟାହ୍ନ ସମୟରେ ନବୀନ ନିବାସ ଯିବା ବେଳେ ବାଟରେ ଅଟକାଇଥିଲା ପୁଲିସ। ଏପରକି ନବୀନ ନିବାସ ଯିବା ବାଟରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଥିଲା। କିଛି କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା। ଏହାର ପ୍ରତିବାଦରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତିଙ୍କ ଘରକୁ ଧସେଇ ପଶିଥିଲେ ଛାତ୍ର କଂଗ୍ରେସ କର୍ମୀ।
ଏହି ସମୟରେ କଂଗ୍ରେସ କର୍ମୀଙ୍କୁ ପୁଲିସ ରୋକିବାକୁ ଚେଷ୍ଟା କରିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ କ୍ୱାର୍ଟର୍ସ ଉପରେ ଅଣ୍ଡାମାଡ଼ କରିଥିଲେ। ସ୍ଥିତି ନିୟନ୍ତ୍ରଣ ନିମନ୍ତେ ଘଟଣାସ୍ଥଳରେ ୨ ଜଣ ଏସିପି ଓ ଜଣେ ଆଇଆଇସି ପୁଲିସ ଫୋର୍ସ ସହ ପହଞ୍ଚିଥିଲେ। ମନ୍ତ୍ରୀଙ୍କ ଘରେ ଧସେଇ ପଶିଥିବା ଦୁଇ ମହିଳା କଂଗ୍ରେସ୍ କର୍ମୀଙ୍କୁ ବାହାରକୁ ବାହାର କରିଥିଲେ।

ଏନେଇ ବିକ୍ଷୋଭ କରୁଥିବା କଂଗ୍ରେସ କର୍ମୀମାନେ କହିଛନ୍ତି, ଯଦି ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦାବି ନ ମାନିବେ, ତେବେ ଆଗକୁ ସମସ୍ତ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରାଯିବ।

Leave a Reply

Your email address will not be published. Required fields are marked *