ରାଜ୍ୟ

ଗ୍ୟାଙ୍ଗଷ୍ଟର ସକିଲକୁ ତଡ଼ିପାର କଲା ପୁଲିସ୍‌

କଟକ : ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲକୁ ତଡ଼ିପାର ନିର୍ଦ୍ଦେଶ ଦେଇଛି କଟକ କମିଶନରେଟ ପୁଲିସ। ସେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବାରୁ ତା’ ପାଖକୁ ତଡ଼ିପାର ନୋଟିସ ପଠାଯାଇଛି। ନୋଟିସରେ ସକିଲକୁ ବର୍ଷକ ପାଇଁ ତଡ଼ିପାର କରାଯାଇଛି। ଏହାର ଅର୍ଥ ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସକିଲ କମିଶନରେଟ ପୁଲିସ ଅଞ୍ଚଳରେ ରହିପାରିବ ନାହିଁ।
ସକିଲ କିଛି ଦିନ ପୂର୍ବେ ଜାମିନରେ ଆସିଥିବା ବେଳେ ଵିବାହ ମଧ୍ୟ କରିଥିଲା। ତା’ ବାହାଘର ପାଇଁ କୋର୍ଟ ତା’କୁ ଜାମିନ ଦେଇଛନ୍ତି। ତେଵେ ସେ ପୁଣି ଅପରାଧ ଘଟାଇବାକୁ ଯୋଜନା କରୁଥିବା ପୁଲିସ୍‌ ଜାଣିବା ପରେ ତା’କୁ ତଡ଼ିପାର ନିର୍ଦ୍ଦେଶ ଦେଇଛି। ତଡ଼ିପାର ନିର୍ଦ୍ଦେଶ ବିରୋଧରେ ସକିଲ ପୁଲିସ କମିଶନରଙ୍କ ନିକଟରେ ମଧ୍ୟ ତା ପକ୍ଷ ରଖିପାରିବାର ପ୍ରାବଧାନ ରହିଛି।
ସକିଲ ନାଁ ରେ ହତ୍ୟାକାଣ୍ଡ , ଗୁଳିକାଣ୍ଡ, ଵୋମାମାଡ଼, ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଆଦାୟ ଭଳି ୩୦ରୁ ଅଧିକ ମାମଲା ରହିଛି। ସକିଲ ବ୍ୟତୀତ ଆଉ ୧୧ ଜଣଙ୍କୁ ତଡ଼ିପାର ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି।
ସେ କହିଛନ୍ତି, ଓଡ଼ିଶା ଅର୍ବାନ ପୁଲିସ ଆକ୍ଟର ସେକସନ ୪୬ ଓ ୪୭ ଅନୁଯାୟୀ ତଡ଼ିପାର କରାଯାଇଥାଏ। ଅପରାଧ ଦୁନିଆ ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କ ଉପସ୍ଥିତି ଯଦି ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରିଥାଏ କିମ୍ବା ସୃଷ୍ଟି ହେବାର ଆଶଙ୍କା ଥାଏ, ତା’ହେଲେ ତା’କୁ ତଡ଼ିପାର କରିବା ପାଇଁ କମିଶନରଙ୍କ ନିକଟରେ ପ୍ରସ୍ତାବ ଆଗତ କରାଯାଇଥାଏ। ସକିଲ କ୍ଷେତ୍ରରେ ମଧ୍ୟ ସମାନ ନୀତି ଅପାଣାଯାଇଛି।
ତା’କୁ ତିଡ଼ିପାର ପାଇଁ ନୋଟିସ ହୋଇଛି। ସେ ଜଣେ ପେଶାଦାର ଅପରାଧୀ ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଯଦି କମିଶନରେଟ ପୁଲିସ୍‌ର ଅଞ୍ଚଳ ବାହାରେ ରହି, ସେ ତା’ର ନେଟୱର୍କକୁ କାର୍ଯ୍ୟକାରୀ କରେ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସେ ଯଦି ନୋଟିସକୁ ଅବମାନନା କରେ, ତା’ହେଲେ ବି ଓଡ଼ିଶା ଅର୍ବାନ ପୁଲିସ୍‌ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।
ବର୍ତ୍ତମାନ ସୁଦ୍ଧା ସକିଲ ଜେଲରୁ ବାହାରିବା ପରେ ସିଧାସଳଖ କିମ୍ବା ପରୋକ୍ଷରେ କୌଣସି ଅପରାଧିକ କାର୍ଯ୍ୟ ସହ ଜଡ଼ିତ ଥିବା ଜଣାପଡ଼ିନି। କିନ୍ତୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ, ତା’କୁ ତଡ଼ିପାର ନୋଟିସ କରାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *