ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳା ବ୍ୟାଚ ଆନ୍ଦୋଳନ ଷଷ୍ଠ ଦିନରେ। ଦାବି ପୁରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଲା ସଂଘ।

ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଓ 6 ବର୍ଷ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ Promotion, Increment, Seniority ରେ ଗଣନା କରିବା ଦାବିରେ ଦିର୍ଘ 6 ଦିନ ଧରି ସାରା ରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ(OGCEA) ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ସପ୍ତାହ ବ୍ୟାପି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ ଗ୍ରୁପ ବି, ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଚ ପରିଧାନ କରିବାସହିତ ଶାନ୍ତିପୂର୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିଛନ୍ତି ।
ଏହି ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ସାମଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ ଓ ପୁଲିସ ଆଦି ବିଭିନ୍ନ ବିଭାଗରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତ୍ୟେକ ଜିଲ୍ଲାର ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତରଠାରୁ ଆରମ୍ଭ କରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବା ସହ ମଧ୍ୟାନ ବିରତି ସମୟରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେଉଛନ୍ତି।
ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଏବଂ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ମୂଳ ଚାକିରୀରେ ଯୋଗ ଦୁଇଟି ମୁଖ୍ୟ ଦାବି ସହ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟରେ ମହଙ୍ଗା ଭତ୍ତା, ଘରଭଡା ଏବଂ ସମସ୍ତ ସରକାରୀ ଅନୁସଙ୍ଗିକ ସୁବିଧା ଇତ୍ୟାଦି ପ୍ରଦାନ ନେଇ କଳା ବ୍ୟାଚ ପରିଧାନ ଏବଂ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ସମାବେଶ ସାରା ରାଜ୍ୟରେ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ସେମାନଙ୍କ ଦାବିଗୁଡିକୁ ପୂରଣ ନକରନ୍ତି ତେବେ ମହାସଂଘର ପୂର୍ଵ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେପ୍ଟେମ୍ବର ୧୧ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବେ ବୋଲି ମହାସଂଘର ଜିଲ୍ଲା ଉପଦେଷ୍ଟା ଅନିତା ବେହେରା, ସଭାପତି ପ୍ରୀତିରଞ୍ଜନ ପ୍ରଧାନ, ସଂପାଦକ ସୁଧାଂଶୁ ଶେଖର ପ୍ରଧାନ, ଉପ ସଭାପତି ବିଜ୍ଞାଶ୍ରୀ ସାହୁ, ଗଣମାଧ୍ୟମ ସମ୍ପାଦକ ଜୟଶ୍ରୀ ସାହୁ, କୋଷାଧ୍ଯକ୍ଷ ଦିଲ୍ଲୀପ କୁମାର ଖଟୁଆ, ଓ ପ୍ରମୁଖ ନେତୃମଣ୍ଡଳୀ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି ।




