ପୁରୀରେ ହବିଷ୍ୟାଳୀ ହନ୍ତସନ୍ତ, ପରିଚିତଙ୍କୁ ରଖିବା ଲାଗି ପଞ୍ଜୀକୃତଙ୍କୁ ତଡ଼ିଲେ

ପୁରୀ : ପୁରୀରେ ହବିଷ୍ୟାଳୀ ହନ୍ତସନ୍ତ ସହିତ ରହିଣି ଶିବିରରେ ପାତରଅନ୍ତର କରାଯାଇଥିବା ନେଇ ଅଭିଯୋଗ ହେଉଛିି। ପରିଚିତଙ୍କୁ ରଖିବା ପାଇଁ ପଞ୍ଜୀକୃତ ହବିଷ୍ୟାଳୀଙ୍କୁ ସ୍ଥାନାନ୍ତର କରାଯାଇଛି। ଏପରିକି, ପୁଲିସ ଲଗାଇ ସେମାନଙ୍କ ଜିନିଷପତ୍ର ବାହାରକୁ ନିଆଯାଇଛି। ଏହି ସ୍ଥାନାନ୍ତର ପ୍ରକ୍ରିୟାକୁ ବିରୋଧ କରିବା ସହ ଅନେକ ହବିଷ୍ୟାଳୀ କାନ୍ଦି ପକାଇଛନ୍ତି। କାନମୋଡ଼ି ଚାପୁଡ଼ା ମାରିହେବା ସହ ଆରବର୍ଷକୁ ଆଉ ହବିଷ୍ୟାଳୀ ଶିବିର ଆସିବୁନି ବୋଲି କହିଛନ୍ତି।
କାର୍ତ୍ତିକ ହବିଷ୍ୟାଳୀ ବ୍ରତ ଯୋଜନାରେ ଚଳିତବର୍ଷ ୫ଟି ଶିବିରରେ ହବିଷ୍ୟାଳୀଙ୍କ ରହିବା ବ୍ୟବସ୍ଥା କରାଯାଇଛି। ନବନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ୧୬୦୪ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡ଼ିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ, ମୋଚିସାହି ପୌର କଲ୍ୟାଣମଣ୍ଡପଠାରେ ଅବଶିଷ୍ଟ ଜିଲ୍ଲାର ୬୦୧ଜଣ ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା ହୋଇଛି। ବାକି ଯେଉଁମାନେ ପଛରେ ଆସି ପହଞ୍ଚିଛନ୍ତି, ସେମାନଙ୍କ ନାମ ପଞ୍ଜୀକରଣ କରାଯାଇନି। ଏଣୁ କେଉଁମାନେ ବୃନ୍ଦାବତୀ ନିବାସର ପାର୍କିଂ ଜାଗାରେ ତ କେଉଁ ଖୋଲାଜାଗାରେ ଆଶ୍ରୟ ନେଇଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ପାରିକୁଦ ସିପିଆ ବଡ଼ଝୋଲାରୁ ଆସିଥିବା ବିଳାସିନୀ ତରେଇ, ଖଲି ଦଳାଇ, ବ୍ରହ୍ମୁଣୀ ତରେଇ, ରମାମଣୀ ଦଳାଇ, ଭାସି ପଲାଇ ପ୍ରମୁଖ କହିଛନ୍ତି, ‘ଜିଲ୍ଲା ପ୍ରଶାସନ ନିକଟରେ ପୂର୍ବରୁ ନାମ ପଞ୍ଜୀକରଣ ପରେ ୫ ଦିନ ତଳୁ ୧୫ରୁ ଅଧିକ ଜଣ ଆସି ବୃନ୍ଦାବତୀ ନିବାସରେ ରହିଥିଲୁ।
ପଞ୍ଜୀକରଣ କରିଥିବାରୁ ଆମକୁ ପରିଚୟପତ୍ର ସହ ରୁମ୍ରେ ରହିବାକୁ ଜାଗା ଦେଲେ। କିନ୍ତୁ ଆଜି ରହିବାକୁ ଜାଗା ନାହିଁ କହି ପୌର କଲ୍ୟାଣମଣ୍ଡପକୁ ପଠାଇ ଦେଉଛନ୍ତି। ଯିବାକୁ ମନା କରିବାରୁ ଜୋର ଜବରଦସ୍ତ ଆଣି ଆମ ଜିନିଷପତ୍ର ବାହାରେ ଫିଙ୍ଗି ଦେଇଥିଲେ।’ ଯେଉଁଠି ଆମେ ଭଲରେ ରହୁଥିଲୁ, ସେଠି ଜାଗା ନାହିଁ କହି ଆମକୁ ତଡ଼ିଦେବା ବହୁତ କଷ୍ଟ ଦେଇଛି ବୋଲି କହିଛନ୍ତି। ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ‘ବୃନ୍ଦାବତୀ ନିବାସରେ ସ୍ବତନ୍ତ୍ର ଶଯ୍ୟା ସହ ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ବୃନ୍ଦାବତୀ ନିବାସରେ ସମସ୍ତେ ରହିବାକୁ ପସନ୍ଦ କରୁଛନ୍ତି। ଏଣୁ ଯେଉଁ ଅଧିକାରୀମାନେ ହବିଷ୍ୟାଳୀ ଯୋଜନାରେ ନିୟୋଜିତ ଅଛନ୍ତି, ସେମାନେ ନିଜ ପରିଚିତ ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ଆଣି ବୃନ୍ଦାବତୀ ନିବାସରେ ରଖିବା ପାଇଁ ଏଭଳି କରୁଛନ୍ତି।’ ଏ ସଂପର୍କରେ ବୃନ୍ଦାବତୀ ନିବାସ ଦାୟିତ୍ବରେ ଥିବା ଅଧିକାରୀମାନେ କହିଛନ୍ତି, ଯେଉଁ ହବିଷ୍ୟାଳୀଙ୍କୁ ସ୍ଥାନାନ୍ତର କରାଯାଉଛି, ସେମାନେ ଗୋଟିଏ ଜାଗାରେ ରହିବାକୁ କହିଲେ। ତେଣୁ ସମସ୍ତଙ୍କୁ ପୌର କଲ୍ୟାଣମଣ୍ଡପକୁ ସ୍ଥାନାନ୍ତର କରାଯାଉଛି।