ରାଜ୍ୟ

୨୦ ତାରିଖ ବେଳକୁ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଏନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଆସନ୍ତା ୧୮ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଯାହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଥିବା ବଙ୍ଗୋପସାଗର ଆଡ଼କୁ ମୁହାଁଇବ ଓ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କିପରି ରହିବ ସେନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
ଅନ୍ୟପଟେ ଆଜି ଦକ୍ଷିଣ ବଙ୍ଗୋପସାଗର ଘୂର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତି କେତେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ପାଲଲହଡାରେ ସର୍ବାଧିକ ୪୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ମୌସୁମୀ ପଳାଇବା ପୂର୍ବାନୁମାନ କରାଯାଇଥିବା ବେଳେ ଆସନ୍ତା ୪ ଦିନ ଭିତରେ ଓଡ଼ିଶାରୁ ମୌସୁମୀ ବିଦାୟ ନେବ। ଚଳିତ ମାସ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୧୩.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା କି ସ୍ୱାଭାବିକ ପରିମାଣ ୭୧.୩ ମିଲିମିଟର ଠାରୁ ପ୍ରାୟ ୬୦ ପ୍ରତିଶତ ଅଧିକ ବୋଲି ଭୁବନେଶ୍ୱର ଆଞ୍ଚଳକି ପାଣିପାଗ କେନ୍ଦ୍ର ପକ୍ଷରୁ ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *