ଅପରାଧରାଜ୍ୟ

ରୁଚିକା ମହାନ୍ତିଙ୍କ ବାପାଙ୍କ ଅଭିଯୋଗ : ୩ ଛାତ୍ରୀ ବୟଫ୍ରେଣ୍ଡଙ୍କୁ ଧରି ହଷ୍ଟେଲ୍‌କୁ ଆସୁଥିଲେ, ସାଥୀରେ ମଦ ଓ ସିଗାରେଟ୍‌ ଆଣୁଥିଲେ

ଭୁବନେଶ୍ୱର : ବିଜେବି କଲେଜର ୩ ଛାତ୍ରୀ ବୟଫ୍ରେଣ୍ଡଙ୍କୁ ଧରି ହଷ୍ଟେଲ୍‌କୁ ଆସୁଥିଲେ। ସାଥୀରେ ମଦ ଓ ସିଗାରେଟ୍‌ ଆଣୁଥିଲେ। ହଷ୍ଟେଲ୍‌ ରୁମ୍‌ରେ ବସି ମଦ ପିଇବା ସହିତ ସିଗାରେଟ୍‌ ଟାଣୁଥିଲେ। ମଦ ନିଶାରେ ରୁଚିକାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଉଥିଲେ। ସେହି ତିନି ସିନିୟର ଝିଅ ମୋ’ ଝିଅକୁ ମାରି ଦେଇଛନ୍ତି। ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କ ବାପା ଗଣେଶ୍ୱର ମହାନ୍ତି। ଧାରଣା ସ୍ଥଳକୁ ଆସୁଥିବା ଛାତ୍ରୀମାନେ ଏପରି କହୁଥିବା ଗଣେଶ୍ୱର ଅଭିଯୋଗ କରିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ମୋ’ ଝିଅ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ପଢ଼ୁଥିଲା। ସେ ଆଇଏଏସ୍‌ ଓ ଆଇପିଏସ୍‌ ହେବାକୁ ଲକ୍ଷ୍ୟ ରଖିଥିଲା। ତା’ ପଢ଼ାକୁ କିନ୍ତୁ ତା’ର ୩ ସିନିୟର ଛାତ୍ରୀ ସହି ପାରୁନଥିଲେ। ବୟଫ୍ରେଣ୍ଡଙ୍କୁ ଧରି ହଷ୍ଟେଲ୍‌କୁ ଆସୁଥିଲେ। ହଷ୍ଟେଲ୍‌ ରୁମ୍‌ରେ ମଦ ପିଇବା ପରେ ମୋ ଝିଅକୁ ଗାଳି ଦେଉଥିଲେ। ଏକଥା କଲେଜ ଅଧ୍ୟକ୍ଷ, ହଷ୍ଟେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ ଓ କେୟାର ଟେକର କେମିତି ଜାଣିପାରିଲେ ନାହିଁ? ଏମାନେ ସବୁ ଜାଣିଛନ୍ତି। ଏମାନଙ୍କୁ ନେଇ ପଚରାଉଚରା କରାଗଲେ ସବୁ କଥା ଜଣାପଡ଼ିବ। ମୋ ଝିଅକୁ ରାଗିଂ କରୁଥିବା ୩ ଛାତ୍ରୀଙ୍କୁ ସାମ୍ନାକୁ ଅଣାଯାଉ। ସେମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ରୁଚିକାଙ୍କ ବାପା କରିଛନ୍ତି।
କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି କଲେଜର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍‌ ନମ୍ୱର ନଂ ୨୦୧ରେ ରହୁଥିଲେ। ପ୍ରଥମ ବର୍ଷରେ ପଢ଼ୁଥିଲେ ମଧ୍ୟ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଚଳାଇଥିଲେ। ହେଲେ ଗତ ୨ ତାରିଖରେ ହଷ୍ଟେଲ୍‌ ରୁମ୍‌ ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ୩ ସିନିୟର ଛାତ୍ରୀଙ୍କ ରାଗିଂ ସହିନପାରି ଆତ୍ମହତ୍ୟା କରିଥିବା ରୁଚିକା ସୁଇସାଇଡ ନୋଟ୍‌ରେ ଲେଖିଥିଲେ। ହେଲେ ସେହି ୩ ଛାତ୍ରୀ କିଏ? ରୁଚିକା ସେମାନଙ୍କ ନାଁ ଲେଖି ନାହାନ୍ତି। ଯେଉଁଥିପାଇଁ ଗୋଲକ ଧନ୍ଦାରେ ପଡ଼ି ଯାଇଛି କମିଶନରେଟ ପୁଲିସ୍‌।
ପୁଲିସ କେବଳ କାରୁବାକୀ ହଷ୍ଟେଲରେ ରହୁଥିବା ଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରି ଚୁପ୍‌ ବସିଛି। ହେଲେ ରାଗିଂ କରିଥିବା ୩ ଛାତ୍ରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ରାଗିଂ କରିଥିବା ୩ ଛାତ୍ରୀଙ୍କ ଗିରଫ ଦାବିରେ ରୁଚିକାଙ୍କ ପରିବାର ଲୋକ ଗତ ୨ ତାରିଖଠାରୁ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି।

Leave a Reply

Your email address will not be published. Required fields are marked *

Check Also
Close