କେନ୍ଦ୍ରାପଡା କୁ କେବେ ଗଡିବ “ମୋ ବସ୍” ❓

କେନ୍ଦ୍ରାପଡା : ସହର କେନ୍ଦ୍ରାପଡା ତୁଳସୀକ୍ଷେତ୍ର ନାମେ ବିଶ୍ୱ ପ୍ରସିଦ୍ଧ।ରାଜ୍ୟ ରାଜନୀତି ଜଗତର ଅନ୍ୟ ଏକ ପ୍ରାଣକେନ୍ଦ୍ର କହିଲେ ମଧ୍ୟ ହେବନାହିଁ ଅତ୍ୟୁକ୍ତି ! ଯୋଡା ଯୋଡା ମନ୍ତ୍ରୀପଦ ଅଳଙ୍କୃତ କରିବାର ସଗୌରବ ମଣ୍ଡନ କରୁଛି ଜିଲ୍ଲା କେନ୍ଦ୍ରାପଡା। ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ କମ ଗୁରୁତ୍ୱ ବହନ କରୁନାହିଁ ଏହି ଜିଲ୍ଲା। କନ୍ଦରାସୁର ଠାରୁ ଆରମ୍ଭ କରି ବିଜୁ ବାବୁଙ୍କ ପର୍ଯ୍ୟନ୍ତ, ଇଂରାଜୀ ମାନଙ୍କ ଠୁ ଆରମ୍ଭ କରି ବିପ୍ଲବୀ ମାନଙ୍କ ପଯ୍ୟନ୍ତ ସମସ୍ତଙ୍କ ପଦଚିହ୍ନର ମୂକସାକ୍ଷୀ ହେଉଛି ଏହି କେନ୍ଦ୍ରାପଡା ମାଟି।
ସେମିତି ପର୍ଯ୍ୟଟନ କ୍ଷେତ୍ର ଦୃଷ୍ଟିରୁ ଦେଖିଲେ ସିଦ୍ଧ ବଳଦେବଜୀଉଙ୍କ ଦାର୍ଶନିକ କ୍ଷେତ୍ରରୁ ଆରମ୍ଭ କରି ଭିତରକନିକା ପରି ସବୁଜ ସବୁଜିମାରେ ଭରପୁର ମନଲୋଭା ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନସ୍ଥଳୀ ମାନ ଅବସ୍ଥିତ ଅଛନ୍ତି କେନ୍ଦ୍ରାପଡା ମାଟିର ଛାତିରେ…।
ଦେଢ଼ ଶହ ବର୍ଷ ପୂର୍ତ୍ତି ର ଗାଥା ଗାଉଛି କେନ୍ଦ୍ରାପଡା ସହର। କେନ୍ଦ୍ରାପଡା କୁ ଯୋଗାଯୋଗ ବା ଯାତାୟାତ ର ମାଧ୍ୟମ କହିଲେ ଯାତ୍ରୀବାହି ରେଳ ଚାଲିବା ସ୍ୱପ୍ନ ଅଦ୍ୟାବଧି ପୂରଣ ହିଇପାରିନଥିବା ବେଳେ ଏହା ଆଗକୁ ମଧ୍ୟ ନିହାତି ଦିବାସ୍ୱପ୍ନ ପରି ମନେହୁଏ!କେନ୍ଦ୍ରାପଡା ସହର ସଡକ ପଥ ଭାୟା ସାଲେପୁର ମାଧ୍ୟମରେ ସିଧା ସଳଖ ସଂଯୋଗ କରୁଛି ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱର ସଡ଼କ ପଥକୁ। ପ୍ରତିଦିନ ସକାଳୁ ଆରମ୍ଭ କରି ଅଧରାତ୍ରୀ ପର୍ଯ୍ୟନ୍ତ କେନ୍ଦ୍ରାପଡା ସହର ମଧ୍ୟରୁ ଶହ ଶହ ସଂଖ୍ୟାରେ ଯାତ୍ରୀ ଭାୟା ସାଲେପୁର ହୋଇ ଦୈତ୍ୟ ନଗରୀ କୁ କରୁଛନ୍ତି ଯିବା ଆସିବା।ଶହ ଶହ ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ କରୁଛନ୍ତି ଯାତାୟାତ।ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବ୍ୟକ୍ତିଗତ ବା ନିଜ୍ଵସ ଯାନବାହନ ଥିବା ଯାତ୍ରୀ ମାନଙ୍କ ସଂଖ୍ୟା ନିହାତି ନଗଣ୍ୟ।ପ୍ରାୟତଃ ଅର୍ଦ୍ଧାଧିକ ଯାତ୍ରୀ ଯିବାଆସିବା କରିବାପାଇଁ ନିର୍ଭର କରୁଛନ୍ତି ଏକମାତ୍ର ମାଧ୍ୟମ ରୂପେ ଘରୋଇ ବସ୍ ସେବା ଉପରେ।ଅଭିଯୋଗ ହେଉଛି ଏହାର ସୁଯୋଗ ନେଇ ଘରୋଇ ବସ୍ ମାଲିକ ମାନେ ବିଭିନ୍ନ ସମୟରେ ଯାତ୍ରୀମାନଙ୍କୁ ମନଇଚ୍ଛା କରୁଛନ୍ତି ଶୋଷଣ।ସରକାରଙ୍କ ସବୁ ନିୟମ କାନୁନ୍ କୁ ବେଖାତିର କରି ବସ୍ ଭଡ଼ା ମୂଲ୍ୟରେ କରୁଛନ୍ତି ଅହେତୁକ ବୃଦ୍ଧି।ଯାତାୟାତ ପାଇଁ ବିକଳ୍ପ କୌଣସି ବ୍ୟବସ୍ଥା ନଥିବା ହେତୁ ଏଥିରୁ ନିସ୍ଥାର ପାଇବାକୁ ହେଲେ ବିକଳ୍ପ ବ୍ୟବସ୍ଥା ରୂପେ ସରକାର ଯୋଗାଇ ଦେଉଥିବା “ମୋ ବସ୍” କେନ୍ଦ୍ରାପଡା କୁ ଗଡ଼ିବା ନିହାତି ଆବଶ୍ୟକ ବୋଲି କେନ୍ଦ୍ରାପଡାରେ ବିଭିନ୍ନ ମହଲରୁ ଉଠୁଛି ଦାବି।
ଏଇ ଗତ କିଛିଦିନ ହେବ ଦୈତ୍ୟ ନଗରୀ ରୁ ସାଲେପୁର କୁ ମୋ ବସ୍ ଚାଲିବା ପରେ ଏହି ଦାବି କେନ୍ଦ୍ରାପଡା ରେ ହେଲାଣି ଦ୍ବିଗୁଣିତ।ବିଭିନ୍ନ ସଂଗଠନ ମାନେ ଦାବି କଲେଣି କେନ୍ଦ୍ରାପଡାର ଉଭୟ ମନ୍ତ୍ରୀ ଦ୍ୱୟ ସମେତ ସାଂସଦ ମହାଶୟ କେନ୍ଦ୍ରାପଡା କୁ “ମୋ ବସ୍” ସେବା ଯୋଗାଇ ଦେବା ଉପରେ ସଡ଼କ ପରିବହନ ବିଭାଗ ସହିତ ବିଚାର ବିମର୍ଶ କରି ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
କେନ୍ଦ୍ରାପଡା ରୁ ଉତ୍କଳ କେଶରୀ ଙ୍କ ରିପୋର୍ଟ @KNS_LIVE
