ପ୍ରଶାସନିକ ଅବହେଳା ଲାଗି କେନ୍ଦ୍ରାପଡ଼ା ବନ୍ୟା ବିପନ୍ନଙ୍କ ଦୁଃଖ ବଢିଚାଲିଛି

ରନ୍ଧା କି ଶୁଖିଲା ଖାଦ୍ୟ ନାହିଁ କି ପିଇବା ଲାଗି ପାଣି ଟୋପାଏ ନାହିଁ, ଔଷଧ, ଗୋଖାଦ୍ୟ ଏସବୁ କଥା ପଚାରେ କିଏ ??
କେନ୍ଦ୍ରାପଡ଼ା : ଲଗାଣବର୍ଷା ଫଳରେ ମହାନଦୀ ଓ ଏହାର ଶାଖାନଦୀରେ ଆସିଥିବା ବନ୍ୟାରେ କେନ୍ଦ୍ରାପଡ଼ା ଜିଳ୍ଲାବାସୀଙ୍କ ଦୁଃଖ ବଳିଯାଇଛି କେବଳ ପ୍ରଶାସନିକ ଅବହେଳା ଲାଗି | ଯଦିଓ ବଡ଼ ଘାଇ ହୋଇନି ମାତ୍ର ପାଇକା ନଦୀରେ ହୋଇଥିବା ଘାଇ ଗରଦପୁର ବ୍ଲକବାସୀଙ୍କ ଲାଗି ସମସ୍ୟା ଆଣିଥିବାବେଳେ ଲୁଣା ଓ କରାଣ୍ଡିଆ ନଦୀରେ ଘାଇ ଲାଗି ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ଲୋକେ ଦୁର୍ଦ୍ଦଶାଭିତରକୁ ଠେଲି ହୋଇଯାଇଛନ୍ତି | ଲୁଣା ଓ କରାଣ୍ଡିଆର ବନ୍ୟାଜଳ ଲାଗି ଢିଅବଳରାମ ପୁର ଓ ଆଇତିପୁର ବାସୀ ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି | ନିର୍ଦ୍ଦିଷ୍ଟଭାବେ ଆଇତିପୁର ଗାଁରେ ଆଠଫୁଟ ଉପରେ ପାଣି ପ୍ରବାହିତ ହେଉଛି | ଆଇତିପୁର ସହିତ ହୁରାସାହି, କରିଲୋପାଟଣାର କିଛି ଅଂଶ, ବାଳିସିଂ ପ୍ରଭୃତି ଗ୍ରାମ ଜଳମଗ୍ନ ହୋଇଛି | ଏହି ଅଞ୍ଚଳରେ କିଛି ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିବା ବେଳେ ଅଧିକାଂଶ ଲୋକ ନିଜ ଘରର ଛାତ ଉପରେ ଧନଜୀବନ ବଞ୍ଚାଇବାକୁ ଆଶ୍ରୟ ନେଇଛନ୍ତି |
ଗତକାଲି ମୁଖ୍ୟମନ୍ତ୍ରୀ ବନ୍ୟା ସମୀକ୍ଷା ବେଳେ ଜିରୋ କାଜୁଆଲିଟି କଥା କହିଥିଲେ | ଏଥିସହିତ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯିବାକୁ ନିର୍ଦ୍ଦେଶ ଦେଇଥିଲେ | ମାତ୍ର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ | ଆଇତିପୁର ଅଞ୍ଚଳରେ ଯେଉଁଲୋକ ବାତ୍ୟା ଆଶ୍ରୟସ୍ଥଳୀରେ ଅଛନ୍ତି ସେମାନଙ୍କ ପାଖକୁ କିଛି ଖାଦ୍ୟ ପହଞ୍ଚିଥବା ବେଳେ ଜୀବନବିକଳରେ ଘରର ଛାତ ଉପରେ ଆଶ୍ରୟ ନେଇଥିବା ଲୋକମାନଙ୍କ ପାଖେ ରନ୍ଧା ବା ଶୁଖିଲା ଖାଦ୍ୟ ପହଞ୍ଚି ନାହିଁ | ଏହି ପ୍ରସଙ୍ଗରେ ଆମ ପ୍ରତିନିଧି ତହସିଲଦାର ଓ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ | ବିଡ଼ିଓ କହୁଛନ୍ତି ଯେ ରନ୍ଧାଖାଦ୍ୟ ସକାଳ ୭ଟା ସୁଦ୍ଧା word ମେମ୍ବର ମାନଙ୍କୁ ଦିଆସରିଛି | ମାତ୍ର ଅପରାହ୍ନ ୧ଟା ସୁଦ୍ଧା ମଧ୍ୟ ବିପନ୍ନଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚିପାରିନି | word ମେମ୍ବରମାନେ କହୁଛନ୍ତି ଆମେ ପାଣିରେ ପଶି କେମିତି ଲୋକଙ୍କୁ ଖାଦ୍ୟ ଦେବୁ ? ସେହି ଅଞ୍ଚଳରେ ଯିବାଆସିବା ଲାଗି ଯଦିଓ ଡ଼ଙ୍ଗାର ବ୍ୟବସ୍ଥା ହୋଇଛି ମାତ୍ର ଉକ୍ତ ଡଙ୍ଗାରେ ସାମ୍ବାଦିକମାନେ ବା ଫଟୋ ଉଠାଇବାକୁ ଲୋକ ଯାଉଥିବାବେଳେ ପ୍ରଶାସନ ଉକ୍ତ ଡଙ୍ଗାକୁ ବିପନ୍ନ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ଜିନିଷ ବା ରନ୍ଧା ଖାଦ୍ୟ ପହଞ୍ଚାଇବା ଲାଗି ପ୍ରଶାସନ ବ୍ୟବହାର କରିପାରୁନି | ସବୁଠାରୁ ବଡ଼କଥା ହେଲା ଲୋକେ ପାଣିଘେରରେ ଥିବାବେଳେ ସେଠାରେ ପ୍ରଶାସନିକ ଅଧିକାରୀମାନେ କେହିବି ନାହାନ୍ତି ଏକଥା ଦେଖିବାକୁ ଯେ ସରକାରୀ ସହାୟତା ଅଥବା ରନ୍ଧାଖାଦ୍ୟ ଲୋକମାନଙ୍କ ନିକଟରେ ପହଞ୍ଚିଲା କି ନାହିଁ |
ମେଡ଼ିକାଲ ଟିମ୍ କୁ ପ୍ରଭାବିତ ଅଞ୍ଚଳଠାରୁ ପ୍ରାୟ ଗୋଟେ କିଲୋମିଟର ଦୂରରେ ବସ୍ ପୁର ପାଖରେ ବସାଯାଇଛି | ପ୍ରଶ୍ନ ଉଠୁଛି ପାଣିଘେରରେ ବନ୍ଦୀ ରହିଥବା ଯେଉଁ ଲୋକମାନଙ୍କର ଔଷଧ ଦରକାର ସେମାନେ ଏତେବାଟ ପାଣିରେ ଆସିବେ କେମିତି ଓ ଔଷଧ ନେବେ କେମିତି ? ସବୁଠାରୁ ଅଶ୍ଚର୍ଯ୍ୟର କଥା ମେଡିନାଲ ଟିମ୍ କୁ ଡ଼ଙ୍ଗାରେ ପଠାଇ ଲୋକମାନଙ୍କ ନିକଟରେ ଘରେ ଘରେ ଔଷଧ ପହଞ୍ଚାଇବା ଲାଗି ପ୍ରଶାସନ ପକ୍ଷରୁ ସାମାନ୍ୟତମ ଚେଷ୍ଟାମଧ୍ୟ ନାହିଁ | ଅନୁରୂପ ଭାବେ ସରକାର ବନ୍ୟାବିପନ୍ନଙ୍କୁ ଯେଉଁ ସବୁ ସହାୟତା ଦେବା ଲାଗି ଯୋଜନା କରିଛନ୍ତି ଯେମିତିକି ରନ୍ଧା ଓ ଶୁଖିଲା ଖାଦ୍ୟ, କ୍ୟାଣ୍ଡେଲ, ପିଇବା ପାଣି ଏସବୁ ଲୋକଙ୍କ ପାଖରେ ପହଞ୍ଚି ପାରୁନି | ନଳକୂଅଗୁଡ଼ିକ ବୁଡ଼ିଯାଇଥିବାରୁ ଲୋକେ ପିଇବା ପାଣିଟୋପାଏ ପାଉ ନାହାନ୍ତି | ଗୋଖାଦ୍ୟ ଯୋଗାଇବା ଲାଗି ସରକାର ଘୋଷଣା କରିଥିଲେ ବି ନଦୀବନ୍ଧ ଉପରେ ଆଶ୍ରୟ ନେଇଥିବା ଗୋରୁମାନଙ୍କ ନିକଟରେ ତାହା ପହଞ୍ଚି ପାରିନି | ଗୋରୁମାନଙ୍କ ଲାଗି ଲୋକେ ଯେତିକି ନଡ଼ାଘାସ ସଂଗ୍ରହ କରିଆଣିଥିଲେ ତାହା ସରିଯିବାକୁ ବସିଲାଣି | ଏସବୁକୁ ଦେଖିଲେ ଏକଥା ସ୍ପଷ୍ଟ ବନ୍ୟା ବିପନ୍ନଙ୍କ ନିକଟରେ ପ୍ରଶାସନ ଆଦୌ ପହଞ୍ଚୁନି |
ସରକାର ବନ୍ୟା ବିପନ୍ନଙ୍କ ଲାଗି ସବୁ ପ୍ରକାର ସହାୟତା ଯୋଗାଇଦେବା ଲାଗି ବାରମ୍ବାର ଗଣମାଧ୍ୟମ ଆଗରେ କହୁଥିଲେ ବି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଯେ ଲୋକଙ୍କ ଦୁଃଖପ୍ରତି ସାମାନ୍ୟ ସହାନୁଭୂତି ପ୍ରକାଶ କରୁନି ତାହା ଯେ କେହି ଉକ୍ତ ଅଞ୍ଚଳ ବୁଲିଲେ ଜାଣି ପାରିବ | ମୁଖ୍ରମନ୍ତ୍ରୀ ଓ ୫ – ଟି ସଚିବ ଏ ଦିଗରେ ତୁରନ୍ତ ଧ୍ୟାନ ଦେବାକୁ ସ୍ଥାନୀୟ ଅଞ୍ଚଳର ଲୋକେ ଦାବୀ କରିଛନ୍ତି |