କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟାସ୍ଥିତି ଓ ବନ୍ୟାପରବର୍ତ୍ତୀ କ୍ଷୟକ୍ଷତିକୁ ନେଇ ସମୀକ୍ଷା କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଳ୍ଲାରେ ବନ୍ୟାର ସ୍ଥିତି ଓ ବନ୍ୟାପରବର୍ତ୍ତୀ କ୍ଷୟକ୍ଷତିକୁ ନେଇ ମାର୍ଶଘାଇ ଡାକବଙ୍ଗଳାଠାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏକ ସମୀକ୍ଷା ବୈଠକ କରିଛନ୍ତି | ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ | ବୈଠକରେ ବନ୍ୟାଯୋଗୁଁ ଚାଷଜମିର କ୍ଷୟକ୍ଷତି, ପାନୀୟଜଳ ଯୋଗାଣରେ ଉପୁଜିଥିବା ବାଧା, ବିଦ୍ୟୁତ ଯୋଗାଣ ନେଇ ହୋଇଥିବା କ୍ଷୟକ୍ଷତି ବିଷୟରେ ଆଲୋଚନା ହେବା ସହିତ ରାସ୍ତାଘାଟର ମରାମତି ନିମନ୍ତେ ଆର୍ ଡ଼ି ଏବଂ ଆରଆରବି ବିଭାଗର ଅଧିକାରୀମାନଙ୍କୁ ନେଇ ବିଶେଷ ତର୍ଜମା କରାଯାଇଥିଲା | ବନ୍ୟାଯୋଗୁ କେତେ ଚାଷଜମିର କ୍ଷୟକ୍ଷତି ହୋଇଛି, କି ଫସଲ କ୍ଷତି ହୋଇଛି ସେ ନେଇ ସରକାରଙ୍କ ପକ୍ଷରୁ ରିପୋର୍ଟ ତଲବ କରାଯାଇଥିବା ବେଳେ କୃଷି ବିଭାଗ ଆଗାମୀ ୨୭ ତାରିଖ ସୁଦ୍ଧା ତାହାର ରିପୋର୍ଟ ପ୍ରଦାନ କରିବେ ବୋଲି ବିଭାଗ ପକ୍ଷରୁ ବୈଠକରେ ପ୍ରକାଶ କରାଯାଇଥିଲା | ସେହିପରି କେତେ ବନ୍ଧବାଡ଼ ଭାଙ୍ଗିଛି, କେନାଲଗୁଡ଼ିକର କେତେ କ୍ଷତି ହୋଇଛି ସେ ନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ | ଏଥିସହିତ କ୍ଷତିଗ୍ରସ୍ତ ହୋଇଥିବା କୌଣସି ହିତାଧିକାରୀ ଯେମିତି କ୍ଷତିପୂରଣ ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଥିଲେ |
ଏହି ସମୀକ୍ଷା ବୈଠକରେ ମାର୍ଶାଘାଇ ଓ ମହାକାଳପଡ଼ା ଅଞ୍ଚଳର ଲୋକପ୍ରତିନିଧିମାନେ ଯୋଗଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ବନ୍ଧରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ | ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସେସବୁ ସମସ୍ୟାକୁ ଯୁଦ୍ଧକାଳୀନଭିତ୍ତିରେ ସମାଧାନ କରିବା ନିମନ୍ତେ ସପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଉକ୍ତ ବୈଠକରେ ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ବିଡ଼ିଓ ଏବଂ ତହସିଲଦାର, ଆରଆଣ୍ଡ ବି ବିଭାଗର ଏକଜିକ୍ୟୁଟିଭ ଇଞ୍ଜିନିୟର, କୃଷି ବିଭାଗ ପକ୍ଷରୁ ଜିଲ୍ଲା ଅଧିକାରୀ ଏବଂ ବିଦ୍ୟୁତ ବିଭାଗ ପକ୍ଷରୁ ବିଭାଗୀୟ ମ୍ୟାନେଜର ମଧ୍ୟ ଉପସ୍ଥିତ ରହିଥିଲେ |