ମହାନଦୀରେ ଦେଶୀ ଡ଼ଙ୍ଗା କେତେ ସୁରକ୍ଷିତ❓

କେନ୍ଦ୍ରାପଡା: ପାଞ୍ଚ କି ଦଶ ଲକ୍ଷ ନୁହେଁ।ପାଖାପାଖି ବାର୍ଷିକ ୬୦ ଲକ୍ଷ ଟଙ୍କାରେ ନିଲାମ ଯାଉଛି ବାହାକୁଦ-ମୂଷାଡ଼ିଆ ଫେରିଘାଟ।ରାଜ୍ୟରେ ସବୁଠୁ ଅଧିକ ରାଜସ୍ୱ ଦେଉଥିବା ଘାଟ ହେଉଛି ବାହାକୁଦ-ମୂଷାଡ଼ିଆ ଫେରିଘାଟ।ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା କୁ ଭାଗକରି ବୋହି ଯାଇଥିବା ଅଥଳ ମହାନଦୀ ଗର୍ଭରେ ଚାଲୁଛି ବାହାକୁଦ-ମୂଷାଡ଼ିଆ ଫେରିଘାଟ।କମ୍ ସମୟ ସହିତ ,କମ୍ ଖର୍ଚ୍ଚରେ ମହାକାଳପଡ଼ା ବ୍ଳକ ଅଞ୍ଚଳରୁ ପାରାଦୀପ,ଜଗତସିଂହପୁର କୁ ଯିବା ଆସିବା କରିବାପାଇଁ ମହାନଦୀ ଗର୍ଭରେ ଚାଲୁଥିବା ଏହି ଘାଟ ଡ଼ଙ୍ଗା ହେଉଛି ଏକମାତ୍ର ସୁବିଧାଜନକ ମାଧ୍ୟମ।
ମହାକାଳପଡ଼ା ବ୍ଲକର ରାମନଗର,ଖରନାସୀ,ଜମ୍ବୁ,ପେଟଛେଲା,ବଉଳକଣି,ଛପାଲି ଆଦି ଅନେକ ଅଞ୍ଚଳର ଶହ ଶହ ଶ୍ରମିକ ଶ୍ରେଣୀୟ ଲୋକମାନେ ପ୍ରତ୍ୟେକ ଦିନ କର୍ମ ଅନୁସନ୍ଧାନରେ ଯାଆ ଆସ କରନ୍ତି ଏହି ଘାଟରେ।ମହାନଦୀ ଗର୍ଭରେ ସମୁଦ୍ର ମୁହାଣ ପାଖାପାଖି ଅଥଳ ଗଭୀର ଜଳରାଶିରେ ସ୍ଥାନୀୟ ନିର୍ମିତ ହାତ ତିଆରି ଦେଶୀ ଡ଼ଙ୍ଗାରେ ଏହି ଘାଟରେ ପ୍ରତ୍ୟେକ ଦିନ ପାରି କରାଯାଉଛି ଶହ ଶହ ବହୁମୂଲ୍ୟ ଧନଜୀବନ।ଯଦି କିଛିଦିନର ବିଗତ ସମୟକୁ ଦେଖାଯାଏ ତେବେ ସ୍ପଷ୍ଟ ଚିତ୍ର ଆସୁଛି ଗଭୀର ମହାନଦୀ ଜଳରାଶିରେ ସ୍ଥାନୀୟ ନିର୍ମିତ ଦେଶୀ ଡ଼ଙ୍ଗା ଚାଲୁଥିବା କାରଣରୁ ଅନେକ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେବାର ସୃଷ୍ଟି ହୋଇଛି ଆଶଙ୍କା।
ବାହାକୁଦ-ମୂଷାଡ଼ିଆ ଘାଟ ପାରି ହେଉଥିବା କିଛି ଶ୍ରମିକ ନିଜର ମତ ପ୍ରକାଶକରି କୁହନ୍ତି ଯେ ଏହି ଘାଟପାରି ହେବାପାଇଁ ଉପଲବ୍ଧ ଥିବା ଦେଶୀ ଡ଼ଙ୍ଗା ବଦଳରେ ଯଦି ପ୍ରଶାସନ ପକ୍ଷରୁ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ତଥା ସ୍ଥାନୀୟ ଗଭୀର ଜଳରାଶି ପାଇଁ ଅନୁକୂଳ ଉଚ୍ଚ କ୍ଷମତା ସମ୍ଫନ ଥିବା ବୋଟ୍ ଚଳାଚଳ କରା ଯାଆନ୍ତା ତେବେ ଘାଟପାରି ହେଉଥିବା ଯାତ୍ରୀମାନଙ୍କ ଧନ ଜୀବନ ପ୍ରତି ବିପଦର ଆଶଙ୍କା ବହୁ ଗୁଣରେ କମି ପାରନ୍ତା ବା ଡ଼ଙ୍ଗା ଜନିତ ଦୁର୍ଘଟଣାକୁ ଅନେକାଂଶରେ ଏଡାଇ ଦିଆଯାଇ ପାରନ୍ତା!
ଅନ୍ୟ ପକ୍ଷରେ ଏହି ଘାଟରେ ପ୍ରତ୍ୟେକ ଦିନ ପାରି ହେଉଥିବା କିଛି ଶ୍ରମିକ ନିଜ ନାମ ଗୋପନ ରଖିବା ସୂତ୍ରରେ ଅଭିଯୋଗ କରି କୁହନ୍ତି ଯେ ବାହାକୁଦ-ମୂଷାଡ଼ିଆ ଘାଟପାରି କରୁଥିବା ଦେଶୀ ଡ଼ଙ୍ଗାର ଫିଟନେସ୍ ବର୍ଷ ବର୍ଷ ଧରି କରାଯାଉନି ଯାଞ୍ଚ!ଏହି ଡ଼ଙ୍ଗାର ଚାଳକ ମାନେ ମଧ୍ୟ ନୁହଁନ୍ତି ତାଲିମପ୍ରାପ୍ତ ! ଫଳରେ ବେପରୁଆ ଡ଼ଙ୍ଗା ଚାଳନା ହେତୁ ଅନେକ ସମୟରେ ଦୁର୍ଘଟଣା ଘଟିବାର ଉପୁଜୁଛି ଆଶଙ୍କା।
ଏହି ଘାଟରୁ ବାର୍ଷିକ ୬୦ଲକ୍ଷ ଟଙ୍କା ଆଦାୟ ହେଉଥିଲେ ହେଁ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ବା ସ୍ଥାନୀୟ ପ୍ରଶାସନ ସାମାନ୍ୟତମ ଯତ୍ନଶୀଳ ନହେବା ସରକାରଙ୍କ ପାରିବା ପଣିଆ ଉପରେ ନିହାତି ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଦେଖିବାକୁ ବାକିରହିଲା ମୋଟା ଅଙ୍କର ଅର୍ଥରାଶି ମହାସୁଲ ଆଦାୟ ହେଉଥିବା ଓ ମହାନଦୀ ଗଭୀର ଜଳ ରାଶିରେ ଚାଲୁଥିବା ଏହି ବାହାକୁଦ-ମୂଷାଡ଼ିଆ ଫେରିଘାଟରେ ବାରମ୍ବାର ଘଟୁଥିବା ଦୁର୍ଘଟଣା କୁ ଏଡ଼ାଇବା ପାଇଁ ପ୍ରଶାସନ କେବେ ଗ୍ରହଣ କରିବ ପଦକ୍ଷେପ?କେବେ କେନ୍ଦ୍ରାପଡା ପ୍ରଶାସନ ବାହାକୁଦ-ମୂଷାଡ଼ିଆ ଫେରିଘାଟ ଗଭୀର ଜଳରାଶିରେ ଆଧୁନିକ ଶୈଳୀ ରେ ନିର୍ମିତ ଉଚ୍ଚ କ୍ଷମତା ସମ୍ଫନ୍ନ ବୋଟ୍ ଚଲାଇ ,ଘାଟପାରି ହେଉଥିବା ଯାତ୍ରୀଙ୍କ ଧନ ଜୀଵନ ସୁରକ୍ଷା ଦିଗରେ ହେବେ ଯତ୍ନଶୀଳ?
#କେନ୍ଦ୍ରାପଡା ରୁ ଉତ୍କଳ କେଶରୀ ଙ୍କ ରିପୋର୍ଟ @KNS_LIVE