ରାଜ୍ୟ

ନମ୍ୱର ପ୍ଲେଟ୍‌ ଅବଧି ପୁଣି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର : ଗାଡ଼ି ଚାଳକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ନମ୍ୱର ପ୍ଲେଟ୍‌ (ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌) ଅବଧି ପୁଣି ବଢ଼ାଇଲେ ରାଜ୍ୟ ସରକାର। ଆଉ ମାସେ ଅବଧି ବଢ଼ାଇବାକୁ ରାଜ୍ୟ ପରିବହନ ବିଭାଗ ନିଷ୍ପତ୍ତି ନେଇଛି।୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲେ ସରକାର।
ପରିବହନ ବିଭାଗ ସୂଚନା ଅନୁସାରେ ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ଶେଷ ତାରିଖ ରହିବ। ସେହିପରି ୫, ୬ ଥିଲେ ଡିସେମ୍ବର ୩୧ ଓ ୭, ୮ ଥିଲେ ଜାନୁଆରୀ ୩୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଏହାଛଡ଼ା ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବ୍ରୁଆରୀ ୨୮ ଶେଷ ତାରିଖ ରହିବ। ରାଜ୍ୟ ପରିବହନ ବିଭାଗ ନେଇ ସୂଚନା ଦେଇଛି।

ବ୍ୟବସ୍ଥା ନକରି ରାଜ୍ୟ ସରକାର ତରବରିଆ ଭାବେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌(HSRP) ପାଇଁ ବିଜ୍ଞପ୍ତି ପ୍ରକାଶ କଲେ। ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ କୁହାଯାଇଥିଲା। ହେଲେ ଅନ୍‌ଲାଇନ୍‌ରେ ଆବେଦନ କରିବା ପାଇଁ ଲୋକମାନେ ନାକେଦମ୍‌ ହେଲେ। ସ୍ଲଟ୍‌ ବୁକିଂ ବେଳେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ ଲୋକେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜ୍ୟ ସରକାର ସମସ୍ୟା ଦୂର କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଥିଲା।
ଶେଷରେ ମାମଲା ଓଡିଶା ହାଇକୋର୍ଟରେ ପହଞ୍ଚିଲା। ହାଇକୋର୍ଟ ମାମଲାର ବିଚାର କରି ରାଜ୍ୟ ପରିବହନ ବିଭାଗକୁ ନାନା ପ୍ରଶ୍ନ ପଚାରିଥିଲେ। ହାଇକୋର୍ଟ କହିଥିଲେ, ଲୋକଙ୍କୁ ସହଜରେ ନମ୍ବର ପ୍ଲେଟ ଯୋଗାଇ ଦେବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି? ସେ ବାବଦରେ ବିସ୍ତୃତ ତଥ୍ୟ ସତ୍ୟପାଠ ଜରିଆରେ ଜଣାଅ। ବିଶେଷ କରି ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକିଂର ସ୍ଥିତି, ଭିତ୍ତିଭୂମି ଓ ନମ୍ବର ପ୍ଲେଟ ଭାଙ୍ଗିଗଲେ କିମ୍ବା ନଷ୍ଟ ହେଲେ ଜରିମାନାର ପ୍ରାବଧାନ କ’ଣ ରହିବ? ସେବାବଦରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କେବଳ ସେତିକି ନୁହଁ HSRP ନିୟମ ଉଲ୍ଲଙ୍ଘନ ହେଲେ କ’ଣ ଜରିମାନା ବ୍ୟବସ୍ଥା ରହିଛି? ସେନେଇ ସତ୍ୟପାଠରେ ଉଲ୍ଲେଖ କରିବାକୁ କୋର୍ଟ କହିଛନ୍ତି।
ସେପ୍ଟେମ୍ବର ୩୦ରେ ଓଡିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାର ହାଇସିକ୍ୟୁରିଟି ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ। ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିଲା, ସେମାନଙ୍କ ଡେଡ୍‌ଲାଇନ୍ ସେପ୍ଟେମ୍ବର ୩୦ରେ ସରୁଥିଲା। ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଅକ୍ଟୋବର ପହିଲାରୁ ସେମାନଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଥା’ନ୍ତା। ତେବେ ହାଇକୋର୍ଟଙ୍କ ତାଗିଦ ପରେ ସରକାର ଯେଉଁମାନଙ୍କ ଗାଡ଼ିର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିବ ସେମାନଙ୍କ ପାଇଁ ହାଇସିକ୍ୟୁରିଟି ପ୍ଲେଟ୍ ଲଗାଇବାର ସମୟସୀମା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ାଇ ଥିଲେ।
ସେହିପରି ଯେଉଁମାନଙ୍କ ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି, ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ସମୟସୀମା ୩୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିଗୁଡ଼ିକରେ ପ୍ଲେଟ୍ ଲଗାଇବା ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି। ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୯ ଓ ୦ ଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସମୟସୀମାକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା।

Leave a Reply

Your email address will not be published. Required fields are marked *