ଅପରାଧରାଜ୍ୟ

ବନ୍ଧାହେଲେ କୋଟିପତି ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ

ଭୁବନେଶ୍ୱର : ଶେଷରେ ପୁରୀ ଜିଲ୍ଲା ନିମାପଡ଼ା ସବ୍‌ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେ ତାଙ୍କ ଆୟ ଠାରୁ ୩୩୩% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଗତକାଲି ଦୁଷ୍ମନ୍ତ ଦେହୁରୀଙ୍କର ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ତାଙ୍କର ୩.୫୪ କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି। ତା’ ମଧ୍ୟରେ ୨୮ଟି ପ୍ଲଟ୍ ରହିଛି। ୨୮ଟି ପ୍ଲଟ୍ ମଧ୍ୟରୁ ୭ଟି ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ଥିବା ବେଳେ ବାକି ୨୧ଟି ଢେଙ୍କାନାଳର ପ୍ରମୁଖ ଅଞ୍ଚଳରେ ରହିଛି। ଏହି ସବୁ ପ୍ଲଟ୍‌ ଗୁଡ଼ିକର ରେଜିଷ୍ଟରଡ୍‌ ସେଲ୍ ଡିଡ୍ ବା ଆର୍‌ଏସ୍‌ଡି ମୂଲ୍ୟ ୧.୪୫ କୋଟି ଟଙ୍କା।
ଦୁଷ୍ମନ୍ତ ଦେହୁରୀଙ୍କର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ତିନି ମହଲା କୋଠା ରହିଛି। ଏହାର ମୂଲ୍ୟ ପାଖାପାଖି ୯୨ ଲକ୍ଷ ଟଙ୍କା ହେବ। ଢେଙ୍କାନାଳ ସହରରେ ତାଙ୍କର ୨ଟି ଏକ ମହଲା ବିଶିଷ୍ଟ କୋଠା ରହିଛି। ଏହି ଘର ଗୁଡ଼ିକର ମୂଲ୍ୟ ୨୦.୭୭ ଲକ୍ଷ ଟଙ୍କାରୁ ଅଧିକ। ଢେଙ୍କାନାଳର ମାତଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡେଇରେ ତାଙ୍କର ଏକ ମହଲା ବିଶିଷ୍ଟ ଗୋଟିଏ ଘର ଅଛି, ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ। ଭୁବନେଶ୍ୱରର କଳାରାହାଙ୍ଗ ଓ ଆଇଗିଣିଆରେ ତାଙ୍କର ଦୁଇଟି ଆଉଟ୍‌ହାଉସ୍ ରହିଛି। ଏଗୁଡ଼ିକର ମୂଲ୍ୟ ୧୨.୩୪ ଲକ୍ଷ ଟଙ୍କା ହେବ। ସେହିଭଳି ତାଙ୍କର ୪୭.୬୫ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଓ ଇନ୍‌ସ୍ୟୁରାନ୍ସ ଜମା ରହିଛି। ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଠାରୁ ନଗଦ ୧ ଲକ୍ଷ ୬୨ ହଜାର ୮୦୦ ଟଙ୍କା ଜବତ କରାଯାଇଛି। ଦୁଇଟି ଦୁଇ ଚକିଆ ଯାନ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଗୃହୋପକରଣର ମୂଲ୍ୟ ୧୨.୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହା ବାଦ୍ ତାଙ୍କର ଗୋଟିଏ ୪ ଚକିଆ ଯାନ ଅଛି, ଯାହାର ମୂଲ୍ୟ ୧୧ ଲକ୍ଷ ଟଙ୍କା।

Leave a Reply

Your email address will not be published. Required fields are marked *

Check Also
Close