ରାଜ୍ୟ

କାର୍ତ୍ତିକ ବ୍ରତ ଆରମ୍ଭ: ହବିଷ୍ୟାଳୀ ମା’ମାନେ କହିଲେ- ପ୍ରଭୁ ଶ୍ରୀଜଗନ୍ନାଥ ମୁଖ୍ୟମନ୍ତ୍ରୀଙ୍କୁ ‘କୋଟିଏ ପରମାୟୁ ଦିଅନ୍ତୁ’

ଭୁବନେଶ୍ୱର: ପୁରୀରେ ହବିଷ୍ୟାଳୀ ମା’ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆଜି ହବିଷ୍ୟାଳୀ ମା’ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳୀ ମା’ମାନଙ୍କୁ ସ୍ବାଗତ କରି ସମସ୍ତଙ୍କୁ ଗୋଟିଏ ଗୋଟିଏ ଶାଲ୍‌ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମା’ମାନେ ଶାନ୍ତି ଓ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ଆଶା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଓ ସେମାନଙ୍କ ପରିବାର ତଥା ସାରା ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡିଶାବାସୀଙ୍କ କଲ୍ୟାଣ ପାଇଁ କାମ କରିଆସିଛନ୍ତି । ଆଜି ମା’ମାନଙ୍କ ମନ କଥା ଜାଣି, ସେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ବୃନ୍ଦାବତୀ ନିବାସ ଉଦ୍‌ଘାଟନ କରିଛନ୍ତି ।
ଏହି ଅବସରରେ ୩ ଜଣ ହବିଷ୍ୟାଳି ମା ଗଞ୍ଜାମର ଉର୍ମିଳା ପଟନାୟକ, ମୟୁରଭଞ୍ଜର ସାବିତ୍ରୀ ବିନ୍ଧାଣି ଓ ପୁରୀର ଡ଼ଲିମଣି ନାଇଡ଼ୁ ସେମାନଙ୍କ ଏହି ନୂଆ ସୁବିଧା ସଂପର୍କରେ ମତବ୍ୟକ୍ତ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଆମ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଶୋଇବା, ଖାଇବା କୌଣସିରେ ଅସୁବିଧା ନାହିଁ । ଜଗନ୍ନାଥ ମହାପ୍ରଭୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟିଏ ପରମାୟୁ ଦିଅନ୍ତୁ କହି ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୁରୀ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପରିଚାଳନା କମିଟିର ସଦସ୍ୟଗଣ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ପୁରୀ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *