ରାଜ୍ୟ

ମୋକିମଙ୍କୁ ଆଶ୍ୱସ୍ତି: ଜାମିନ ମଞ୍ଜୁର, ୧୩ରେ ପରବର୍ତ୍ତୀ ଶୁଣାଣି

କଟକ : ORHDC ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍‌ଡର୍ସ ପ୍ରାଇଭେଟ୍ ଲିମିଟେଡ୍ ଏମ୍‌ଡି ତଥା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଭିଜିଲାନ୍ସ କୋର୍ଟଙ୍କ ଦ୍ୱାରା ହୋଇଥିବା ଦଣ୍ଡାଦେଶ ବିରୋଧରେ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଜାମିନ ମଞ୍ଜୁର ହୋଇଛି। ଏହାବାଦ ତାଙ୍କ ଆବେଦନ ଗୃହୀତ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଏହା ଉପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି।
ମୋକିମଙ୍କ ମେଟ୍ରୋ ବିଲ୍‌ଡର୍ସ ପ୍ରାଇଭେଟ୍ ଲିମିଟେଡ ଚଞ୍ଚକତା କରି ORHDCରୁ ୧୫୦ ଲକ୍ଷର ଋଣ ମଞ୍ଜୁର କରି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ କରି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ। ଏହି ଜେଲ୍ ଦଣ୍ଡାଦେଶ ଓ ଜରିମାନାକୁ ଚ୍ୟାଲେଞ୍ଜ କରି ମୋକିମ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ହାଇକୋର୍ଟ ତାଙ୍କ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ମୋକିମଙ୍କୁ ୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି। ମୋକିମଙ୍କ ଉପରେ ଲାଗୁ ହୋଇଥିବା ୫୦ ହଜାର ଜରିମାନା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏନେଇ ମୋକିମଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଚଞ୍ଚକତା କରି ମେଟ୍ରୋ ବିଲଡର୍ସ ୧୫୦ ଲକ୍ଷର ଋଣକୁ ହାତେଇଥିବା ଅଭିଯୋଗ ହୋଇଥିଲା। ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍‌କୁ ତିନିଟି କିସ୍ତିରେ ୨୦୦୦ ଜୁଲାଇ ୬ ତାରିଖରୁ ୨୦୦୦ ଅଗଷ୍ଟ ୨୮ ତାରିଖ ମଧ୍ୟରେ ଋଣ ଅର୍ଥ ପ୍ରଦାନ କରାଯାଇଥିଲା। ଏଥିରେ ORHDCର ତତ୍‌କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ପୂର୍ବତନ ଆଇଏଏସ୍ ଅଫିସ ବିନୋଦ କୁମାର ତଥା ORHDCର ତତ୍‌କାଳୀନ କମ୍ପାନୀ ସେକ୍ରେଟେରୀ ସ୍ୱସ୍ତି ରଞ୍ଜନ ମହାପାତ୍ର ସମ୍ପୃକ୍ତ ଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦାଖଲ କରାଯାଇଥିବା ଡକ୍ୟୁମେଣ୍ଟ ନକଲି ଥିଲା। ପୁଣି ଉଚିତ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ନରଖି ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡକୁ ଋଣ ଦିଆଯାଇଥିଲା।
ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ଓ ଅନୁଚିତ ଉପାୟରେ ଏକ ବିଲଡର ସଂସ୍ଥାକୁ ଲାଭ ଦେଇଥିଲେ। ମାମଲାର ଶୁଣାଣି ବେଳେ ୧୭ରୁ ଅଧିକ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା। ସେହିପରି ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଯେଉଁ ତଥ୍ୟ ପ୍ରମାଣ ଦିଆଯାଇଥିଲା, ତାହା ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଫଳରେ ବିଧାୟକ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇ ଥିଲେ ଭିଜିଲାନ୍ସ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟଯେ, ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବାରୁ ତାଙ୍କ ସଦସ୍ୟ ପଦ ରଦ୍ଦ ହେବାର ସମ୍ଭାବନା ଦେଖାଦେଇଥିଲା। ତେବେ ହାଇକୋର୍ଟରୁ ଏହା ଉପରେ ରହିତାଦେଶ ମିଳିଥିବାରୁ ଆଶ୍ୱସ୍ତି ଲାଭ କରିଛନ୍ତି ବିଧାୟକ ମୋକିମ ।

Leave a Reply

Your email address will not be published. Required fields are marked *