ଅର୍ଚ୍ଚନା ନାଗଙ୍କ ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ବର: ଅର୍ଚ୍ଚନା ନାଗ ଗିରଫ ଘଟଣାକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅର୍ଚ୍ଚନା ନାଗଙ୍କ ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ। ମମିତା ମେହେର ଭଳି ଅର୍ଚ୍ଚନା ନାଗ ଘଟଣାରେ ମଧ୍ୟ ଲାପଟପ ଓ ମୋବାଇଲ ସତ ଲୁଚାଇବା ପାଇଁ ଚେଷ୍ଠା କରୁଛନ୍ତି ରାଜ୍ୟ ସରକାର।ସଫା ପୋଷାକ ପିନ୍ଧି ଘୃଣିତ କାର୍ଯ୍ୟ କରୁଛନ୍ତି ବିଜେଡି ନେତା।
ଏହି ମାମଲାରେ ବିଜେଡି ବିଧାୟକ, ମନ୍ତ୍ରୀ ଓ ଅଫିସରଙ୍କ ସମ୍ପୃକ୍ତି ରହିଛି। ଅର୍ଚ୍ଚନା ନାଗଙ୍କର ବେଆଇନ ସମ୍ପତ୍ତି ଜବତ କରି ରାଜ୍ୟ ସରକାର ମୋବାଇଲ ଓ ଲାପଟପ ସତ ପଦାକୁ ଆଣନ୍ତୁ। ଏସ ଆଇଟି ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।
ଏଣେ ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ପୁଲିସ ଘଟଣା ଉପରେ ଘଣ୍ଟ ଘୋଡ଼ାଉଛି। ବଡ଼ ବଡ଼ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନୈତିକ ନେତା ଓ ବ୍ୟବସାୟୀ ଏଥିରେ ସମ୍ପୃକ୍ତ ଅଛନ୍ତି। ସମ୍ପୃକ୍ତ ଥିବା ଚେହେରା ସବୁ ବାହାରକୁ ଆସିବାର ଆବଶ୍ୟକତା ରହିଛି। ମହିଳାଜଣକ ଅତ୍ୟନ୍ତ କଦର୍ଯ୍ୟ ଉପାୟରେ ପଇସା ରୋଜଗାର କରିଛନ୍ତି, ଏଥିରେ କେଉଁମାନେ ସହାୟତା କରିଛନ୍ତି, ତାହା ମଧ୍ୟ ସାମ୍ନାକୁ ଆସିବାର ଆବଶ୍ୟକତା ରହିଛି। ତଦନ୍ତ ପ୍ରକ୍ରିୟାରେ ଘଣ୍ଟ ଘୋଡାଉଛନ୍ତି ରାଜ୍ୟ ସରକାର ଏବଂ ଚିଟଫଣ୍ଡ ସମୟରେ କ୍ରାଇମବ୍ରାଞ୍ଚ ଡାଟା ନଷ୍ଟ କରିବା ଭଳି ଆଜି ବି ସମାନ ଢଙ୍ଗରେ ଡାଟା ନଷ୍ଟ କରି କିଛି ଲୋକଙ୍କୁ ବଞ୍ଚାଇବାକୁ ପ୍ରକ୍ରିୟା ଓ ପ୍ରଚେଷ୍ଟା ଚାଲିଛି। ସେ ଆହୁରି କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ନ୍ୟାୟ ଏବଂ ଆଇନ ତା ରାସ୍ତାରେ ଯିବ, ଏହାକୁ ଯଦି ଅଵଲମ୍ବନ କରନ୍ତେ ନିହାତି ରୂପେ ଅନେକଗୁଡ଼ିଏ ସତ୍ୟତା ବାହାରକୁ ଆସନ୍ତା। ହନିଟ୍ରାପ କେସ ଓଡ଼ିଶା ପ୍ରଦେଶରେ ଯାହା ଓଡ଼ିଶାର ସଂସ୍କୃତି ବିରୋଧୀ କଥା।