ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କରିବ ରାସ୍ତାପାର୍ଶ୍ବ କେନ୍ଦ୍ରର ରକ୍ଷଣାବେକ୍ଷଣା ଓ ପରିଚାଳନା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ରାଜପଥ ଓ ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ପାର୍ଶ୍ବରେ ସ୍ଥାପିତ ହୋଇଥିବା ରାସ୍ତାପାର୍ଶ୍ବ ସୁବିଧା କେନ୍ଦ୍ରର ରକ୍ଷଣାବେକ୍ଷଣ ଓ ପରିଚାଳନା ସଂପୃକ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଫେଡେରେସନ୍ ମାଧ୍ୟମରେ କରାଯିବ। କେନ୍ଦ୍ରଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣା ବିଭାଗ ଦ୍ବାରା ସଂପୃକ୍ତ ପରିଚାଳକ ସଂଘର ସକ୍ରିୟ ସହଯୋଗରେ ହେବ। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୁଖ୍ୟ ସଡ଼କ ପାର୍ଶ୍ବରେ ୮୪ଟି ରାସ୍ତାପାର୍ଶ୍ବ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି। ଏସବୁ କେନ୍ଦ୍ରରେ ଗାଡ଼ି ପାର୍କିଂ, ମହିଳା ଓ ପୁରୁଷ ଶୌଚାଳୟ, ପ୍ରସାଧନ ଓ ବସିବା ସ୍ଥାନ, ଚା, କଫି ଓ ଜଳଖିଆ ଆଦି ସ୍ଥାନ ନିର୍ମାଣ ହୋଇଛି। ତହିଁରୁ ୩୫ଟି କେନ୍ଦ୍ର ପର୍ଯ୍ୟଟନ ବିଭାଗ ଓ ୪୯ଟି କେନ୍ଦ୍ର ପୂର୍ତ ବିଭାଗ ଜରିଆରେ ନିର୍ମାଣ କରାଯାଇଛି। ଏହାସହ ପ୍ରକୃତି ପର୍ଯ୍ୟଟନ-ସ୍ଥଳୀମାନଙ୍କରେ ଜଙ୍ଗଲ ଓ ପରିବେଶ ବିଭାଗ ମାଧ୍ୟମରେ ପର୍ଯ୍ୟଟନ ସୁବିଧା କେନ୍ଦ୍ର ନିର୍ମାଣ ହୋଇଛି। କେନ୍ଦ୍ରଗୁଡ଼ିକୁ ପର୍ଯ୍ୟଟକମାନଙ୍କ ପାଇଁ ଅଧିକ ସହଜ, ଆତିଥ୍ୟପୂର୍ଣ୍ଣ ଓ ନିରାପଦ କରାଯିବ। ଏଥିପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ନିର୍ଧାରଣ କରିବାକୁ ପୂର୍ତ, ପର୍ଯ୍ୟଟନ ଓ ମିସନ ଶକ୍ତି ବିଭାଗକୁ ନିର୍ଦେଶ ଦିଆଯାଇଛି। ଭ୍ରମଣକାରୀ ଓ ପର୍ଯ୍ୟଟକମାନେ ସାଧାରଣତଃ ଯିବାଆସିବା କରୁଥିବା ରାସ୍ତା ନିକଟସ୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେସବୁର ସଂକ୍ଷିପ୍ତ ବିବରଣୀ ଭିତ୍ତିକ ତାଲିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ଏସବୁ ସୁନ୍ଦର ସ୍ଥାନର ମଧ୍ୟ ବିକାଶ ସହିତ ଛୋଟ ପାର୍କିଂର ବ୍ୟବସ୍ଥା ରହିଲେ ପର୍ଯ୍ୟଟକମାନେ ଦୀର୍ଘଯାତ୍ରାର କ୍ଲାନ୍ତିରୁ ବିରାମ ନେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଓଡ଼ିଶା ଭ୍ରମଣ ସେମାନଙ୍କ ପାଇଁ ଅଧିକ ଉପଭୋଗ୍ୟ ଓ ସ୍ମରଣୀୟ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ପୂର୍ତ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ, ମିସନ ଶକ୍ତି ସଚିବ ସୁଜାତା କାର୍ତିକେୟନ, ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।