ଷ୍ଟାଫ୍ ସିଲେକ୍ସନ କମିସନ କରିବ ଶିକ୍ଷକ ନିଯୁକ୍ତି

ଭୁବନେଶ୍ବର : ଏଣିକି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍ଏସ୍ସି) ଦ୍ବାରା ଚୟନ ହେବେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ। ଆଉ କୌଣସି ବାହାର ସଂସ୍ଥାଙ୍କୁ ନିଯୁକ୍ତି ଲାଗି ଦାୟିତ୍ବ ଦିଆଯିବ ନାହିଁ କି ଗଣଶିକ୍ଷା ବିଭାଗ କରିବ ନାହିଁ। ବରଂ ଅନ୍ୟାନ୍ୟ ବିଭାଗରେ ହେଉଥିବା ନିଯୁକ୍ତି ପ୍ରକ୍ରିୟା ପରି ଓଏସ୍ଏସ୍ସି ଦ୍ବାରା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ। ପ୍ରାର୍ଥୀଙ୍କ ଆବେଦନଠାରୁ ଆରମ୍ଭ କରି ପରୀକ୍ଷାଫଳ ପ୍ରକାଶ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଷ୍ଟାଫ୍ ସିଲେକ୍ସନ କମିସନ କରିବ। ଗଣଶିକ୍ଷା ବିଭାଗ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ କି ତାହାକୁ ମାନିବାକୁ ଓଏସ୍ଏସ୍ସି ବାଧ୍ୟ ନୁହେଁ। ସୁବିଧା ଅନୁଯାୟୀ ଚୟନ ପ୍ରକ୍ରିୟା କରିବାକୁ ଓଏସ୍ଏସ୍ସିକୁ କ୍ଷମତା ଦିଆଯିବ। ଗତ ଦୁଇଟି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଇତିମଧ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ପଦ ତାଲିକା ପ୍ରସ୍ତୁତ କରାଯାଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ଟିଜିଟି ଆର୍ଟସ୍ରେ ୧୯୭୦ ପଦ ଖାଲିଥିବା ବେଳେ ଟିଜିଟି ପିସିଏମ୍ରେ ୧୪୧୯, ଠିଜିଠି ସିବିଜେଡ୍ରେ ୧୨୦୫, ହିନ୍ଦୀରେ ୧୩୫୨, ସଂସ୍କୃତରେ ୭୨୩, ପିଇଟିରେ ୮୪୧, ଊର୍ଦ୍ଦୁରେ ୨୪ ଓ ତେଲଗୁରେ ୬ଟି ଶିକ୍ଷକ ପଦ ଖାଲି ରହିଛି। ଖାଲିଥିବା ମୋଟ ୭ହଜାର ୫୪୦ ପଦରେ ଖୁବ୍ଶୀଘ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯିବ। କେବେ ଏହି ନିଯୁକ୍ତି ପ୍ରକ୍ରିୟା ହେବ, ସେନେଇ ଓଏସ୍ଏସ୍ସି ସହ ଆଲୋଚନା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ତେବେ ୨୦୨୨-୨୩ ଶିକ୍ଷାବର୍ଷରେ ହିଁ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏଥର ନିଯୁକ୍ତି ପ୍ରକ୍ରିୟାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ଲାଗି ଯେଉଁଭଳି ସଂରକ୍ଷଣ ବ୍ୟବସ୍ଥା ରହିଛି, ପିଡବ୍ଲୁଡି ବର୍ଗର ପ୍ରାର୍ଥୀଙ୍କ ଲାଗି ମଧ୍ୟ ସେଭଳି ବ୍ୟବସ୍ଥା ହେବ। ମାତ୍ର କେତେପ୍ରତିଶତ ସଂରକ୍ଷଣ ହେବ, ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ(ଏସ୍ଏସ୍ଇପିଡି) ବିଭାଗକୁ ଚୂଡ଼ାନ୍ତ ସଂରକ୍ଷଣ ବ୍ୟବସ୍ଥା ନିଷ୍ପତ୍ତି ନେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଦାୟିତ୍ବ ଦିଆଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ସମୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତି ପାତରଅନ୍ତର କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସିଥିଲା। ଏନେଇ ସଂଘ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଯାହାକୁ ଆଧାର କରି ଏଭଳି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ଓଏସ୍ଏସ୍ସି ଦ୍ବାରା ଶିକ୍ଷକ ଶିକ୍ଷୟିତ୍ରୀ ଚୟନ ପ୍ରକ୍ରିୟା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ମାତ୍ର ବିଭିନ୍ନ କାରଣ ଲାଗି ତାହା ହୋଇପାରି ନଥିଲା। କେତେବେଳେ ଗଣଶିକ୍ଷା ବିଭାଗ ସର୍ତ୍ତ ବାଧା ସୃଷ୍ଟି କରିଥିଲା ତ ଆଉ କେତେବେଳେ ଓଏସ୍ଏସ୍ସିର ମନମାନି। ଏବେ କିନ୍ତୁ ପୁଣିଥରେ ଓଏସ୍ଏସ୍ସି ମାଧ୍ୟମରେ ଚୟନ ପ୍ରକ୍ରିୟା କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।