ରାଜ୍ୟ

୭୭ ବର୍ଷରେ ପାଦ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି (୨୦୨୨ ଅକ୍ଟୋବର ୧୬) ୭୭ ବର୍ଷ ବୟସରେ ପାଦ ରଖିଛନ୍ତି। ମାତ୍ର ନବୀନ ଏହି ଜନ୍ମଦିନକୁ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରି ନାହାନ୍ତି। କିନ୍ତୁ ନବୀନଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି। ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଜନ୍ମଦିନ ଅବସରରେ ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆପଣଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନ ଅବସରରେ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

ବିଜେଡି ତରଫରୁ ନବୀନଙ୍କ ଜନ୍ମଦିନ ପାଳନ କରାଯାଉଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯାଜପୁରରେ ବୈତରଣୀ ନଦୀକୂଳରେ ନବୀନଙ୍କ ଜନ୍ମଦିନ ପାଳନ ପାଇଁ ବଡ଼ଧରଣର ଆୟୋଜନ କରିଛନ୍ତି। ସେଠାରେ ନବୀନଙ୍କ ବଡ ବଡ ହୋଡିଂ ଲଗାଯାଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଆଜି (ରବିବାର) ପଡ଼ିଛି। ମୁଖ୍ୟମନ୍ତ୍ରୀ ‘ମେକ୍ ଇନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ରବିବାର ହାଇଦ୍ରାବାଦ ଗସ୍ତରେ ଯାଇଥିବାରୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଶୁଭେଛୁମାନଙ୍କୁ ଶନିବାର ଅନୁରୋଧ କରିଥିଲେ। ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ୠଣୀ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *