୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳରେ ଉପଲବ୍ଧ ହୋଇଥିବ ୫ଜି ସେବା: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ଆସନ୍ତାବର୍ଷ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା। ୫ଜିର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୮ ସହର ରହିଛି। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଏସବୁ ସହରରେ ୫ଜି ମୋବାଇଲ ସେବା ଉପଲବ୍ଧ ହୋଇଥିବ । ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳରେ ୫ଜି ସେବା ଉପଲବ୍ଧ ହୋଇଥିବ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ବରରେ ଏହି ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଏବେ ଦେଶର ୪ଟି ସହରରେ ଜିଓ ୫ଜି ସେବା ଅରମ୍ଭ ହୋଇସାରିଛି। ସେହି ସହରଗୁଡ଼ିକ ହେଉଛି ଦିଲ୍ଳୀ, କୋଲକାତା, ମୁମ୍ବାଇ ଏବଂ ବାରଣାସୀ। ଜିଓ ଗତ ୫ ତାରିଖରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରଣାସୀରେ ୫ଜି ସେବାର ଏକ ବିଟା ପରୀକ୍ଷଣ ଆରମ୍ଭ କରିଛି। ଏବେ କମ୍ପାନି ତା’ର ବ୍ୟବହାରକାରୀଙ୍କୁ ୫ଜି ବ୍ୟବହାର କରିବାର ସୁଯୋଗ ପ୍ରଦାନ କରୁଛି।
ତେବେ ପ୍ରଥମେ ପ୍ରଥମେ ୫ଜି ମୋବାଇଲ ଫୋନ ଗ୍ରାହକମାନେ ୬୦୦ ଏମ୍ବିପିଏସ୍ ବେଗରେ ସେବା ପାଇବେ। ବିଶେଷଜ୍ଞଙ୍କ କହିବାନୁଯାୟୀ ପ୍ରଥମେ ନେଟୱର୍କ ଉପରେ ଚାପ ରହିବ ନାହିଁ। ତେଣୁ ଗ୍ରାହକମାନେ ଅଧିକ ବେଗରେ ସେବା ପାଇବେ। ଆପ୍ ଆକ୍ସେସ କରିବା ଏବଂ ଡାଟା ପ୍ରୋସେସିଂ କାର୍ଯ୍ୟ ପ୍ରଫେସନାଲ କମ୍ପ୍ୟୁଟର ଭଳି ବେଗରେ ହେବାର ଆଶା କରାଯାଉଛି।
ଗ୍ରାହକଙ୍କୁ ୫ଜି ସେବା ପାଇଁ ବର୍ତ୍ତମାନର ୪ଜି ସିମ୍ ବଦଳାଇବାକୁ ପଡ଼ିବ ନାହିଁ। ଜିଓ ପକ୍ଷରୁ କୁହାଯାଇଛି ଗୋଟିଏ ସହରରେ ଯଥେଷ୍ଟ ସଂଖ୍ୟକ ଗ୍ରାହକଙ୍କ ପାଖରେ ନେଟୱର୍କ ନପହଞ୍ଚିବା ପର୍ଯ୍ୟନ୍ତ ବିଟା ଟ୍ରାଏଲ ବା ପରୀକ୍ଷଣ ଜାରି ରହିବ।