ରାଜ୍ୟ

କୋର୍ଟରେ ହାଜର ହୋଇ ପୁଣି ଜେଲ ଫେରିଲେ ଅର୍ଚ୍ଚନା

ଭୁବନେଶ୍ୱର : ମାସେ ପରେ କ୍ୟାମେରା ଲେନ୍ସରେ କଏଦ ହୋଇଛି ହନିଟ୍ରାପ କ୍ୱିଇନ ତଥା ଲେଡି ବ୍ଲାକମେର ଅର୍ଚ୍ଚନା ନାଗଙ୍କ ଚେହେରା। ଆଜି ତାଙ୍କୁ କମିଶନରେଟ୍‌ ପୁଲିସ୍‌ କଡ଼ା ସୁରକ୍ଷାବଳୟ ମଧ୍ୟରେ ଝାରପଡ଼ା ଜେଲରୁ ନେଇ ଭୁବନେଶ୍ୱର ଏସଡିଜିଏମ କୋର୍ଟରେ ହାଜର କରିଥିଲା। ସୁରକ୍ଷା ବ୍ୟବସ୍ଥା ଏମିତି ହୋଇଥିଲା ଯେ ଅର୍ଚ୍ଚନାକୁ ନିଆଯାଇଥିବା ପୁଲିସ୍‌ ଗାଡ଼ିର ଚାରିପାଖକୁ ଘୋଡ଼ାଇ ରଖାଯାଇଥିଲା। ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଦେଇଥିବା ବ୍ଲାକମେଲିଂ ଓ ହତ୍ୟା ଧମକ ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ହାଜିରା ପକାଇବା ପରେ ଅର୍ଚ୍ଚନା ଜାମିନ ଆବେଦନ କରିଥିଲେ। ଭୁବନେଶ୍ୱର ଏସଡିଜିଏମ କୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜାମିନ ଆବେଦନର ଶୁଣାଣି ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ପୁଣିଥରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ଝାରପଡ଼ା ଜେଲକୁ ପୁଲିସ୍‌ ନେଇ ଯାଇଥିଲା।
ତେବେ ଗିରଫ ପରେ ପ୍ରଥମଥର ଜେଲ ବାହାରକୁ ଆସିଥିବା ଅର୍ଚ୍ଚନା ଆଜି ଗଣମାଧ୍ୟମକୁ କିଛି କହିବାକୁ ଚେଷ୍ଟା କରିଥିଲେ। ହେଲେ ସେ ବେଶି କିଛି କହିବା ପୂର୍ବରୁ ତାଙ୍କୁ ପୁଲିସ୍‌ ଭିଡ଼ିଭିଡ଼ି କୋର୍ଟ ମଧ୍ୟକୁ ନେଇ ଯାଇଛି। ସେ ପୁଲିସ୍‌ ଭ୍ୟାନରୁ ଓହ୍ଲାଇବା ପରେ ଗଣମାଧ୍ୟମର ପ୍ରତିନିଧିମାନେ ପୂରା ଅପରାଧିକ ସିଣ୍ଡିକେଟ ସମ୍ପର୍କରେ କ’ଣ କହିବେ ବୋଲି ପ୍ରଶ୍ନ କରିଥିଲେ।
ଏହାର ଜବାବରେ ସେ କହିଥିଲେ ଯେ “ହଁ, ନିଶ୍ଚିତ କହିବି। ଆପଣମାନେ କିଛି ତଥ୍ୟ ପ୍ରମାଣ ନଥାଇ ଖବର ପ୍ରସାରଣ କରନ୍ତୁ ନାହିଁ। ଦୟା କରି ମିଛ ଖବର ପ୍ରସାରଣ କରନ୍ତୁ ନାହିଁ। ସମୟ ଆସିଲେ ସବୁ କିଛି କହିବି। ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ।” ଏହାପରେ ସେ ଆଉ କିଛି କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଲେଡି ପୁଲିସ୍‌ କର୍ମଚାରୀମାନେ ତାଙ୍କୁ କୋର୍ଟ ଭିତରକୁ ଭିଡ଼ି ନେଇ ଯାଇଥିଲେ।
ପ୍ରଥମେ ଜଣେ ଯୁବତୀଙ୍କୁ ମୋହରା ବନାଇ ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ଶୁଟ୍ କରିବା ସହ ୩ କୋଟି ଟଙ୍କା ମାଗିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ଖଣ୍ଡଗିରି ଥାନାରେ ମଧ୍ୟ ଜଣେ ମହିଳା ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ମହିଳାଙ୍କ ଅଜାଣତରେ ତାଙ୍କର କିଛି ଆପତ୍ତିଜନକ ଫଟୋ ଅର୍ଚ୍ଚନା ଉଠାଇବା ସହ ତାଙ୍କୁ ବେଆଇନ କାମ କରିବାକୁ ଧମକ ଦେଇଥିବା ସେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପୂର୍ବରୁ ଏହି ମାମଲାରେ ଅର୍ଚ୍ଚନାକୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା। ସେତେବେଳେ ଅର୍ଚ୍ଚନା ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *