ଦେଶ ବିଦେଶ

ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ କରାଯିବା ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିଭିତ୍ତିକ ଗ୍ରୁପ୍‌ ‘ବି’, ‘ସି’, ‘ଡି’ ପାହ୍ୟାର ନିଯୁକ୍ତି ଉଚ୍ଛେଦ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଫଳରେ ୫୭ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯାଇଛି। ଛୁଟିଦିନ ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି। ଗତକାଲି କ୍ୟାବିନେଟର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପ‌ରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ନିଯୁକ୍ତିର ଯୁଗ ଶେଷ ହେଲା ବୋଲି ଘୋଷଣା କରିଥିଲେ।
ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଅନୁଯାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା ସହିତ ସେମାନଙ୍କର ସ୍କେଲ ଅନୁଯାୟୀ ନିର୍ଦ୍ଦିଷ୍ଟ ଦରମା ଧାର୍ଯ୍ୟ କରାଯିବ। ନିଯୁକ୍ତି ପାଇବା ଦିନଠାରୁ ସେମାନଙ୍କର ବର୍ଦ୍ଧିତ ଦରମା ହସାବ କରାଯିବ। ୬ ବର୍ଷ ଅବଧି ପୂରଣ କରି ସାରିଥିଲେ ବି ନିଯୁ୍କ୍ତି ଦିନଠାରୁ ହିଁ ବର୍ଦ୍ଧିତ ଦରମା ଲାଗୁ ହେବ। କର୍ମଚାରୀମାନଙ୍କର ଦରମା ବଢ଼ିବା ସହି ପଦୋନ୍ନତି ବି କରାଯିବ। ଏଥିସହ ବ୍ୟବସ୍ଥ‌ା ଅନୁସାରେ ଇନକ୍ରିମେଣ୍ଟ ଦିଆଯିବ।

ଉଲ୍ଲେଖଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିଥିଲେ। ସେ କହିଥିଲେ ଯେ, ‘ରାଜ୍ୟରୁ ଠିକା ନିଯୁକ୍ତିର ଯୁଗ ଶେଷ ହୋଇଛି। ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିିକ କର୍ମଚାରୀଙ୍କ ନିଯୁକ୍ତି ନିୟମିତ ହେବ। ଏହା ଦ୍ବାରା ୫୭ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ଉପକୃତ ହେବେ।ଏଥିପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୧୩ ଶହ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ତେବେ ଏନେଇ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।’ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *