ଦେଶ ବିଦେଶ

୮ ବର୍ଷ ପରେ ମନେପଡ଼ିଲା ରୋଜଗାର ମେଳା : ଚାକିରୀ ଆଶାୟୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ: କ୍ଷମତାରେ ସାଢ଼େ ୮ ବର୍ଷ ରହିବା ପରେ ଆଜି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି। ଏହି ମେଳାର ଶୁଭାରମ୍ଭ କରି ୭୫ ହଜାର ସରକାରୀ ଚାକିରି ଆଶାୟୀଙ୍କୁ ନିଯୁକ୍ତିପତ୍ର ବଣ୍ଟା ଯାଇଛି। ଆଗକୁ ମଧ୍ୟ ଦେଶରେ ଆଶାୟୀଙ୍କୁ ଚାକିରି ଦିଆଯିବ ବୋଲି କହିଛନ୍ତି।

ଏହି ଅବସରରେ ତାଙ୍କ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେକଥା କହିବାକୁ ଭୁଲି ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହ ନିଯୁକ୍ତି ଉପରେ ମହାମାରୀ କରୋନାର ପ୍ରଭାବ ବା ପାର୍ଶ୍ୱ ପ୍ରତିକ୍ରିୟା କେମିତି ପଡ଼ିଛି, ସେକଥା ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି।

ମହାମାରୀ କରୋନା ପରେ ସାରା ବିଶ୍ୱ ଅର୍ଥନୀତିକ କ୍ଷେତ୍ରରେ ପ୍ରଭାବିତ ହୋଇଛି। ଏହାକୁ ସୁଧାରିବା ପାଇଁ ତାଙ୍କ ସରକାର ଦ୍ରୁତ ଗତିରେ କାମ କରୁଥିବା ମୋଦି କହିଛନ୍ତି। ସେ କହିଛନ୍ତି, “କେନ୍ଦ୍ର ସରକାର ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଚାକିରି ଦେବା ପାଇଁ ଏକାଧିକ କ୍ଷେତ୍ରରେ କାମ କରୁଛନ୍ତି। ଏହା ସତ ଯେ ବିଶ୍ୱର ସ୍ଥିତି ଭଲ ନାହିଁ। ଅନେକ ବଡ଼ବଡ଼ ଅର୍ଥନୀତି ଦୃଷ୍ଟିରୁ ପ୍ରଭାବଶାଳୀ ଦେଶ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅନେକ ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ଓ ବେକାରୀ ଭଳି ସମସ୍ୟା ଅତ୍ୟନ୍ତ ଶୀର୍ଷରେ ପହଞ୍ଚିଛି। ୧୦୦ ବର୍ଷରେ ଥରେ ଆସିଥିବା ମହାମାରୀର ପାର୍ଶ୍ୱ ପ୍ରତିକ୍ରିୟା କେବେ ହେଲେ ୧୦୦ ଦିନରେ ଚାଲି ଯିବ ନାହିଁ। ସମଗ୍ର ବିଶ୍ୱ ଏହି ସମସ୍ୟାର ସମ୍ମୁଖୀନ ହେଉଛି। ସବୁ ସ୍ଥାନ ଓ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।

କିନ୍ତୁ ଭାରତ ନୂଆ ପଦକ୍ଷେପ ନେଇଛି ଓ ଦେଶକୁ ଏହି ସମସ୍ୟାରେ ପ୍ରଭାବିତ ହେବାରୁ ରକ୍ଷା କରିବା ପାଇଁ କିଛି ରିସ୍କ ମଧ୍ୟ ନିଆଯାଇଛି। ସମସ୍ୟାର ପ୍ରଭାବ ଆମ ଦେଶ ଉପରେ କେମିତି କମ ରହିବ, ସେ ଦିଗରେ ଆମେ କାମ କରୁଛୁ। ଏହା ଏକ ଚ୍ୟାଲେଞ୍ଜଂ କାମ। ତଥାପି ଆପଣମାନଙ୍କ ଆଶୀର୍ବାଦ ଯୋଗୁ ଏଯାଏ ଆମେ ସୁରକ୍ଷିତ ହୋଇ ରହିଛୁ।”

ଏହି ଭାଷଣ ପୂର୍ବରୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ୭୫ ହଜାର ଚାକିରି ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଥିଲେ। ସମଗ୍ର ଦେଶରେ ଖାଲି ପଡ଼ିଥିବା ୩୮ଟି ମନ୍ତ୍ରଣାଳୟରେ ଆଜି ନିଯୁକ୍ତିପତ୍ର ପାଇଥିବା ଯୁବକମାନେ ଯୋଗଦେବେ। ଜୁନ ମାସରେ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟରେ ୧୦ ଲକ୍ଷ ଆଶାୟୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *